କମନୱେଲଥ ଗେମ୍ସ:ଅଷ୍ଟ୍ରେଲିଆ ଠାରୁ ୩ ଓ୍ଵିକେଟରେ ପ୍ରଥମ ମ୍ୟାଚ ହାରିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ଶୁକ୍ରବାରଠୁ ଆରମ୍ଭ ହୋଇଛି କମନୱେଲଥ ଗେମ୍ସ। ପ୍ରଥମ ଦିନରେ ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଗ୍ରୁପ୍-ଏ’ ମ୍ୟାଚରେ ଅଷ୍ଟ୍ରେଲିଆ ୩ ୱିକେଟରେ ଭାରତକୁ ପରାସ୍ତ କରିଥିଲା ।

ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇ ୮/୧୫୪ ରନ୍ କରିଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୨୫ (୫ଚୌକା), ସେଫାଳି ବର୍ମା ୪୮ (୯ଚୌକା), ଜେମିମା ରୋଡ୍ରିଗ୍ସ ୧୧ ଏବଂ ହରମନପ୍ରୀତ କୌର ୩୪ ବଲ୍ରୁ ୮ଚୌକା ଓ ୧ଛକା ସହାୟତାରେ ୫୨ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜେସ୍ ଜୋନାସେନ ୪ଟି ୱିକେଟ୍ ଅକ୍ତିଆର କରିଥିଲେ ।

୧୫୫ ରନ୍ ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ପେସ୍ ବୋଲର ରେଣୁକା ସିଂହ ଘାତକ ବୋଲିଂ କରିଥିଲେ । ଅଷ୍ଟ୍ରେଲିଆ ୪୯ ରନ୍ ମଧ୍ୟରେ ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଭାରତ ସହଜରେ ମ୍ୟାଚ୍ ଜିତିବା ଆଶା କରାଯାଉଥିଲା । କିନ୍ତୁ ମଧ୍ୟକ୍ରମରେ ଗାର୍ଡନର ଓ ଗ୍ରେସ୍ ହ୍ୟାରିସ୍ ଦୃଢ଼ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ ।

ଷଷ୍ଠ ୱିକେଟରେ ୫୧ରନ୍ ଯୋଗ କରିବା ପରେ ଗ୍ରେସ୍ ବ୍ୟକ୍ତିଗତ ୩୭ (୫ଚୌକା, ୨ଛକା) ରନ୍ କରି ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ବ୍ୟାଟର ଜୋନାସେନ୍ (୩) ନିରାଶ କରିଥିଲେ । ତେବେ ଗାର୍ଡନର ଓ ଆଲାନା କିଙ୍ଗ୍ ୬ ବଲ୍ ବାକି ଥାଇ ଦଳକୁ ବିଜୟୀ କରାଇଥିଲେ । ଗାର୍ଡନର ୫୨ (୯ଚୌକା) ଓ ଆଲାନା ୧୮ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ରେଣୁକା ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.