ସିଡନୀ : ତୃତୀୟ ତଥା ଶେଷ ଟି୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ୧୨ ରନ୍ରେ ହାରିଲା ଭାରତ ।
ସିଡନୀ : ତୃତୀୟ ତଥା ଶେଷ ଟି୨୦ ମ୍ୟାଚ୍ରେ ଗ୍ଲେନ୍ ମାକ୍ସେଓ୍ଵଲ୍ଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ସାଙ୍ଗକୁ ମିଚେଲ ସ୍ୱିପସନ୍ଙ୍କ ବଢ଼ିଆ ବୋଲିଂ ଆଗରେ ଫିକା ପଡ଼ିଗଲା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ଇନିଂସ୍ । ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୧୨ ରନ୍ରେ ଜିତି ସିରିଜ୍କୁ ୨-୧ ସ୍ତରକୁ ଆଣିଛି । ଅବଶ୍ୟ ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ ହୋଇ ସାରିଛି ।
ଦିନିକିଆ ଭଳି ଟି୨୦ ସିରିଜ୍ ଫଳାଫଳ ସମାନ ହୋଇଛି । କେବଳ ବିଜେତା ବଦଳି ଯାଇଛନ୍ତି । ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଶେଷ ମ୍ୟାଚ୍ ହାରିଥିଲା । ଠିକ୍ ସେହିପରି ଟି୨୦ରେ ଭାରତ ଲଗାତର ଦୁଇଟି ମ୍ୟାଚ୍ ଜିତିବା ପରେ ଶେଷ ମ୍ୟାଚ୍ରେ ପରାସ୍ତ ହୋଇଛି । ଭାରତୀୟ ଦଳ ଆଗରେ ୧୮୭ ରନ୍ର ଲକ୍ଷ୍ୟ ରହିଥିଲା । ହେଲେ ଦଳ ୭ ଓ୍ଵିକେଟ୍ ହରାଇ ୨୦ ଓଭରରେ ୧୭୪ ରନ୍ କରି ପାରିଛି ।
ଗତଥର ଭଳି ଆଜି ଆଉ କମାଲ୍ ଦେଖାଇ ପାରିନଥିଲେ ଓପ୍ନର କେ.ଏଲ୍ ରାହୁଲ ଓ ଶିଖର ଧବନ୍ । ରାହୁଲ ଇନିଂସ୍ର ଦ୍ୱିତୀୟ ବଲ୍ରେ ମାକ୍ସେଓ୍ଵଲଙ୍କ ବଲ୍ରେ ଆଉଟ୍ ହୋଇ ଯାଇଥିଲେ । ଧବନ୍ ଅଧିନାୟକ କୋହଲିଙ୍କ ସହ ମିଶି ୭୪ ରନ୍ ଯୋଡ଼ିଥିଲେ । ୨୧ ବଲ୍ରେ ୨୮ ରନ୍ କରିବା ପରେ ଧବନ ଆଉଟ୍ ହୋଇଥିଲେ । ଏହାପରେ ସଞ୍ଜୁ ସାମସନ୍ ୧୦, ଶ୍ରେୟସ ଆୟର ବିନା ସ୍କୋରରେ ଆଉଟ୍ ହୋଇଥିଲେ । ସବୁଠୁ ଭଲ ଫର୍ମରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ବେଗ ବଢ଼ାଇବା ଲକ୍ଷ୍ୟରେ ଶୀଘ୍ର ଆଉଟ୍ ହୋଇ ଯାଇଥିଲେ । ତେବେ ସେ ୧୩ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହ ୨୦ ରନ୍ ।
ସେପଟେ କୋହଲି ଏକାକୀ ଲଢ଼େଇ କରି ଶେଷରେ ୧୯ତମ ଓଭର୍ର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ସେ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୬୧ ବଲ୍ରୁ କରିଥିଲେ ୮୫ ରନ୍ । ଓ୍ଵାଶିଂଟନ୍ ସୁନ୍ଦର ୭ ଏବଂ ଶାର୍ଦ୍ଦୁଲ ଠାକୁର ଅପରାଜିତ ୧୭ ରନ୍ (୭ ବଲ୍, ୨ ଛକା) କରିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ସ୍ୱିପସନ୍ ୨୩ ରନ୍ ଦେଇ ୩ଟି ଓ୍ଵିକେଟ୍ ଦଖଲ କରି ଭାରତ ପାଇଁ ବିପଦ ସାଜିଥିଲେ ।
ଭାରତ ଆଜି ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ ଦେଇଥିଲା । ଓପ୍ନର ମାଥ୍ୟୁ େଓ୍ଵଡ୍ଙ୍କ ୫୩ ବଲ୍ରୁ ୮୦ ରନ୍ (୭ ଚୌକା, ୨ ଛକା) ଏବଂ ଗ୍ଲେନ୍ ମାକ୍ସେଓ୍ଵଲ୍ଙ୍କ ୩୬ ବଲ୍ରୁ ୫୪ ରନ୍ (୩ ଚୌକା, ୩ ଛକା) ସହାୟତାରେ ଘରୋଇ ଦଳ ୫ ଓ୍ଵିକେଟ୍ରେ ୧୮୬ ରନ୍ କରିଥିଲା । ଷ୍ଟିଭ୍ ସ୍ମିଥ୍ ୨୩ ବଲ୍ରେ ୨୪ ରନ୍ କରିଥିଲେ । ଭାରତ ପକ୍ଷରୁ ଓ୍ଵାଶିଂଟନ୍ ସୁନ୍ଦର ୨ଟି ଓ୍ଵିକେଟ୍ ନେଇଥିଲେ ।
ସ୍କୋର : ଅଷ୍ଟ୍ରେଲିଆ-୧୮୬/୫ । ଭାରତ-୧୭୪/୭।