ବିଶ୍ବକପରେ ଇଂଲଣ୍ଡ ଠାରୁ ହାରି ପାକିସ୍ତାନର ମନ ଭାଙ୍ଗି ଦେଲା ଭାରତ

ବର୍ମିଂହାମ୍ : ବିଶ୍ବକପରେ ଆଜି କଡ଼ା ସଂଘର୍ଷ କରି ଇଂଲଣ୍ଡ ଠାରୁ ହାରିଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ୩୧ ରନରେ ଜିତି ସେମିଫାଇନାଲରେ ପ୍ରବେଶ ଆଶକୁ ଉଜ୍ଜୀବିତ କରିଛି । ୩୩୮ ରନର ବଡ଼ ସ୍କୋର ପିଛା କରି ଭାରତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୬ ରନ୍ କରିପାରିଛି ।
୩୫ ଓଭର ବେଳକୁ ଭାରତ ୨ ୱିକେଟରେ ୧୮୮ ରନ୍ କରିଥିଲା । ଶେଷ ୧୫ ଓଭର ଥିଲା ଅତି ଗୁରୁତ୍ବପୂର୍ଣ୍ଣ । ଟି-୨୦ ଭଳି ଖେଳର ଆବଶ୍ୟକତା ଥିଲା । ପନ୍ତ ଓ ପାଣ୍ଡ୍ୟାଙ୍କ ଯୋଡ଼ି ୨୮ ରନ୍ ସଂଗ୍ରହ କରିଥିଲେ । ହେଲେ ପନ୍ତ ୨୯ ବଲରେ ୩୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଆସିଥିଲେ ଧୋନି । ଶେଷ ୧୦ ଓଭରରେ ଜିତିବା ପାଇଁ ଦରକାର ଥିଲା ୧୦୪ ରନ୍ । ପାଣ୍ଡ୍ୟା ପୂରା ଦମରେ ଲାଗିଥିଲେ । ହେଲେ ୩୨ ବଲରେ ୪୫ ରନ୍ କରି ପାଭିଲିୟନ୍ ଫେରିବା ପରେ ଭାରତୀୟ ବ୍ୟାଟସମାନଙ୍କ ଠାରୁ ବଡ଼ ସଟ୍ ଦେଖିବାକୁ ମିଳି ନଥିଲା । ଶେଷ ଦୁଇ ଓଭରରେ ଜିତିବାକୁ ୫୧ ରନ୍ ଦରକାର ହେଉଥିଲା । ଯାହା ଅସମ୍ଭବ ହୋଇଯାଇଥିଲା । ଧୋନି ( ଅପରାଜିତ ୪୨ ରନ୍ ) ଶେଷ ଓଭରରେ ଆକ୍ରମଣ କରିଥିଲେ ମଧ୍ୟ ତାହା କେବଳ ତାଙ୍କ ବ୍ୟକ୍ତିଗତ ସ୍କୋର ହିଁ ବଢ଼ାଇଥିଲା ।
ତେବେ ଗୋଟିଏ ଜୀବନ ଦାନର ସଠିକ୍ ଉପଯୋଗ କରିଥିବା ରୋହିତ ଶର୍ମା ୧୦୭ ବଲ୍ ଖେଳି ୧୫ଟି ଚୌକା ସହାୟତାରେ ଶତକ ହାସଲ କରିଥିଲେ । ଏହା ହେଉଛି ତାଙ୍କର ୨୫ତମ ଦିନିକିଆ ଓ ଚଳିତ ବିଶ୍ବକପରେ ୩ୟ ଶତକ । ସେ ୧୦୨ ରନ୍ କରି ଆଉଟ୍ ହୋଇଥିଲେ ।

ROHIT AND VIRAT
ପ୍ରଥମ ୱିକେଟ୍ ମାତ୍ର ୮ ରନରେ ପଡ଼ିଥିଲା ଯେତେବେଳେ ଲୋକେଶ ରାହୁଲ ଆଉଟ୍ ହୋଇଥିଲେ । ଏହା ପରେ ଅତି ସତର୍କତାର ସହ ଖେଳି କୋହଲି ଓ ରୋହିତ ଶର୍ମା ଦ୍ବିତୀୟ ୱିକେଟରେ ୧୩୮ ରନ୍ ସଂଗ୍ରହ କରିଥିଲେ । ଅତ୍ୟନ୍ତ ନିଷ୍ଠାର ସହ ଖେଳୁଥିବା ଅଧିନାୟକ କୋହଲି ୭୬ ବଲରେ ୬୬ ରନ୍ କରିବା ପରେ ପ୍ଲଙ୍କେଟଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ । ଚଳିତ ବିଶ୍ବ କପରେ ଏହା ହେଉଛି କୋହଲିଙ୍କର ଲଗାତର ପଞ୍ଚମ ଅର୍ଦ୍ଧଶତକ ।
ଏହାପରେ ରୋହିତ ଏବଂ ଋଷଭ ପନ୍ତଙ୍କ ଭାଗିଦାରୀ ଆରମ୍ଭ ହୋଇଥିଲା । ସେମାନେ ୩ୟ ୱିକେଟରେ ୫୨ ରନ୍ ଯୋଡ଼ିଥିଲେ ।
ଚଳିତ ବିଶ୍ବକପରେ ଭାରତର ଏହା ହେଉଛି ପ୍ରଥମ ପରାଜୟ । ତେବେ ଏହି ପରାଜୟ ଫଳରେ ପଏଣ୍ଟ ତାଲିକାରେ ଭାରତ ତାର ପୂର୍ବ ସ୍ଥାନ (୧୧ ପଏଣ୍ଟ) ବଜାୟ ରଖିଥିବା ବେଳେ ଇଂଲଣ୍ଡ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ପାକିସ୍ତାନ ପଞ୍ଚମ ସ୍ଥାନକୁ ଖସି ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.