ସମ୍ମାନ ବଞ୍ଚାଇବାକୁ ଆଜି ଭାରତ ପାଇଁ ଶେଷ ସୁଯୋଗ, ନଚେତ ସେମିଫାଇନାଲରେ ଖେଳିବା ଆଶାରେ ରହିଯିବ

ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ମୁକାବିଲା । ଗ୍ରୁପ-୨ର ଏହି ମ୍ୟାଚ୍‌ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସମ୍ମାନ ବଞ୍ଚାଇବାକୁ ଶେଷ ଉଦ୍ୟମ କରିବ ଭାରତୀୟ ଦଳ। ଟି-୨୦ ବିଶ୍ୱକପ୍‌ର ସୁପର ରାଉଣ୍ଡରେ ନିଜର ତୃତୀୟ ମ୍ୟାଚରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ। ସେମିଫାଇନାଲରେ ପହଞ୍ଚିବା ପାଇଁ ବିରାଟ ବାହିନୀକୁ ବୃହତ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିବାକୁ ପଡ଼ିବ। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରି ଭାରତ ପାଖରେ ଗୋଟିଏ ବି ବିଜୟ ନାହିଁ। ଫଳରେ ଆଗକୁ ଥିବା ସମସ୍ତ ୩ଟି ଯାକ ମ୍ୟାଚ ଉପରେ ବୃହତ ବିଜୟ କରିବା ଆବଶ୍ୟକ ହୋଇପଡ଼ିଛି। ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବା ପାଇଁ କୋହଲିଙ୍କ ଦଳ ଲକ୍ଷ୍ୟ ରଖିଛି। ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ ।

ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନ ଆଜି ଭାରତକୁ ମଧ୍ୟ କଡ଼ା ଟକ୍କର ଦେବ। ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଯେକୌଣସି ଦଳ ପାଇଁ ବିପଦ ସାଜିପାରନ୍ତି । ବ୍ୟାଟିଂ ବିଭାଗକୁ ଅଟକାଇବାର କ୍ଷମତା ଭାରତ ନିକଟରେ ରହିଛି । ତଥାପି ବୋଲରମାନଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ ।

team india

 

ସେପଟେ ଆଫଗାନିସ୍ତାନର ପ୍ରଦର୍ଶନ ମଧ୍ୟ ବେଶ ଉତ୍ସାହଜନକ ରହିଛି। ଦଳ ୩ଟି ମ୍ୟାଚରୁ ୨ଟିରେ ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ପାଇଁ ପ୍ରମୁଖ ଦାବିଦାର ରହିଛି। ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଫେଲ ମାରିଛି। ପାକିସ୍ତାନ ବିରୋଧରେ ଅଧିନାୟକ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ। ନ୍ୟୁଜିଲାଣ୍ଡ ବିରୋଧ ମ୍ୟାଚରେ ମଧ୍ୟ ଭାରତୀୟ ଦଳର ବ୍ୟାଟିଂ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ଏହା ସହ ପ୍ଲେଇଂ ଇଲେଭେନ ଚୟନକୁ ନେଇ ମଧ୍ୟ ଦଳ ଅନେକ ସମାଲୋଚନାର ଶିକାର ହୋଇଛି।

ତେବେ ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି । ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ୨୦୧୦ ବିଶ୍ୱକପ୍‌ରେ ଭାରତ ୭ ୱିକେଟ୍‌ରେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ୨୦୧୨ରେ ୨୩ ରନ୍‌ରେ ଭାରତ ବିଜୟୀ ହୋଇଥିଲା ।

ସମ୍ଭାବ୍ୟ ଦଳ:

ଭାରତ: ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।

ଆଫଗାନିସ୍ତାନ: ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.