ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, ଅପରାହ୍ନ ସାଢ଼େ ଗୋଟାଏରେ ଆରମ୍ଭ ହେବ ମ୍ୟାଚ୍‌

ହାଇଦ୍ରାବାଦ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍‌ । ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଜିତିଥିବାରୁ ରୋହିତ ବାହିନୀର ମନୋବଳ ଦୃଢ଼ ରହିଛି । ବିଜୟରୁ ଅଭିଯାନ ଲକ୍ଷ୍ୟରେ ରହିଛି ଭାରତ । ସିରିଜ ଆରମ୍ଭରୁ ଦଳକୁ ଲାଗିଛି ଝଟକା । ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ଶ୍ରେୟସ ଆୟାର । ଇନିଂସ ଓପନ କରିବେ କ୍ୟାପଟେନ୍‌ ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌ । ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି ।

ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଓ୍ଵିକେଟ କିପର ଭାବରେ ଇଶାନ୍‌ କିଷାନଙ୍କୁ ସୁଯୋଗ ମିଳିବ । ମିଡିଲ ଅର୍ଡରରେ ସେ ବ୍ୟାଟିଂ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି ରୋହିତ ଶର୍ମା । ସେହିପରି ଶ୍ରେୟସ ଆୟାର ବାଦ ପଡ଼ିଥିବା ଓ ଲୋକେଶ ରାହୁଲ ବ୍ୟକ୍ତିଗତ କାରଣରୁ ଦିନିକିଆ ସିରିଜରୁ ଓହରିଥିବାରୁ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଖେଳିବେ ।

ବୋଲିଂରେ ଅକ୍ଷର ପଟେଲଙ୍କ ସ୍ଥାନ ନେଇ ପାରନ୍ତି ଓ୍ଵାଶିଂଟନ୍‌ ସୁନ୍ଦର । ଭାରତ ତିନି ଜଣ ପେସର ଓ ଦୁଇ ଜଣ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ହୋଇଯିବ । ସେପଟେ ନ୍ୟୁଜିଲାଣ୍ଡକୁ ମାତ ଦେବା ଭାରତ ପାଇଁ ଏତେ ସହଜ ହେବ ନାହିଁ । ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ବିଜୟ ପରେ ଭାରତ ସହ ଖେଳିବ କିଓ୍ଵି ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.