ଭାରତ-ନ୍ୟୁଜିଲାଣ୍ଡ ଟି-୨୦: ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

ଦିନିକିଆ ପରେ ପରେ ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟେ୍ଵଣ୍ଟି ସିରିଜ । ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ । ଆଗକୁ ଅଷ୍ଟ୍ରେଲିଆ ସିରିଜ ଥିବାରୁ ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଏହି ମ୍ୟାଚରେ ନାହାନ୍ତି ଲୋକେଶ ରାହୁଲ, ଋତୁରାଜ ଗାଏକ୍ୱାଡ୍‌, ଶ୍ରେୟସ ଆୟାର ଓ ଅକ୍ଷର ପଟେଲ୍‌ ଭଳି ଖେଳାଳି । ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ହାତେଇଥିଲା ଭାରତ।

ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ପାଣ୍ଡ୍ୟା ବାହିନୀ । ଓପେନିଂ ଭାର ଇନଫର୍ମ ଶୁଭମନ୍‌ ଗିଲ୍‌ ଓ ଇଶାନ୍‌ କିଷାନଙ୍କ ଉପରେ ରହିପାରେ । ଦଳକୁ ପୃଥ୍ଵୀ ସ ଫେରିଥିଲେ ବି ତାଙ୍କୁ ସୁଯୋଗ ମିଳି ନପାରେ । ମିଡିଲ ଅର୍ଡର ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡାଙ୍କ ଉପରେ ରହିବ । ଫାଷ୍ଟ ବୋଲିଂ ସମ୍ଭାଳିବେ ଉମ୍ରାନ୍‌ ମଲ୍ଲିକ, ଅର୍ଶଦୀପ ସିଂ, ଶିଭବ ମାଭି ତୁଲାଇବେ । ସ୍ପିନ୍‌ ବିଭାଗ ଓ୍ଵାଶିଂଟନ୍‌ ସୁନ୍ଦରଙ୍କ ସହ ଯୁଜବେନ୍ଦର ଚହଲ କିମ୍ବା କୁଳଦୀପ ଯାଦବଙ୍କ ଭିତରୁ କେହି ଜଣେ ଖେଳିପାରନ୍ତି ।

ସେପଟେ ଦିନିକିଆରେ ହାରିଥିବା କିଓ୍ଵି ଦଳ ଟି-ଟେ୍ଵଣ୍ଟିରୁ ବିଜୟ ସହ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି । ଦିନିକିଆ ଖେଳିଥିବା ନ୍ୟୁଜିଲାଣ୍ଡ ଟିମ୍‌ ଟେ୍ଵଣ୍ଟି ଟେ୍ଵଣ୍ଟି ବି ଖେଳିପାରେ । ମିଚେଲ୍‌ ସାଣ୍ଟନର କ୍ୟାପଟେନ୍‌ ଦାୟିତ୍ୱ ତୁଲାଇବେ । ଭାରତ-ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ୭ଟି ଦ୍ୱିପାକ୍ଷିକ ସିରିଜ ଖେଳିଛନ୍ତି । ଏଥିରୁ ଟିମ୍‌ ଇଣ୍ଡିଆ ୪ଟି ଜିତିଥିବା ବେଳେ କିଓ୍ଵି ଦଳ ୩ଟିରେ ବିଜୟୀ ହୋଇଛି । ସେହିପରି ଟି-ଟେ୍ଵଣ୍ଟିରେ ଭଭୟ ଦଳ ୨୨ଥର ମୁହାଁମୁହିଁ ହୋଇଥିଲେ । ଏଥିରୁ ଭାରତ ୧୨ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୯ଟିରେ ବିଜୟୀ ହୋଇଛି । ଟାଇ ରହିଥିଲା ଗୋଟିଏ ମ୍ୟାଚ୍‌ । ଗତ ୧୧ଟି ଦ୍ୱିପାକ୍ଷିକ ଟି-୨୦ ସିରିଜରେ ଗୋଟିଏ ବି ମ୍ୟାଚ୍‌ ହାରିନି ଟିମ୍‌ ଇଣ୍ଡିଆ । ୧୦ଟି ସିରିଜରେ ବିଜୟୀ ହୋଇଛି । ଡ୍ର ରହିଛି ଗୋଟିଏ ମ୍ୟାଚ୍‌ । ଶେଷ ଥର ୨୦୨୧ ଜୁଲାଇରେ ଶ୍ରୀଲଙ୍କା ବିକ୍ଷରେ ଟି-ଟେ୍ଵଣ୍ଟି ସିରିଜ ହାରିଥିଲା ଟିମ୍‌ ଇଣ୍ଡିଆ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.