ସଡନ୍ ଡେଥରେ ନ୍ୟୁଜିଲାଣ୍ଡ ଠାରୁ ହାରି ଭାରତ ହକି ବିଶ୍ୱ କପ୍ରୁ ବିଦା ହେଲା
ଭୁବନେଶ୍ୱର (କେନ୍ୟୁଜ୍) : ଭୀଷଣ ସଂଘର୍ଷ, ଉତ୍କଣ୍ଠା ଆଉ ନାଟକୀୟ ସ୍ଥିତିରେ ଶେଷ ହୋଇଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟର କ୍ରସଓଭର ମ୍ୟାଚ୍ । ହକି ବିଶ୍ୱ କପ୍ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଜି ଆୟୋଜକ ଭାରତ ହାରି ଯାଇଛି । ଏହା ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ମାନ୍ୟତାରେ ୬ ନମ୍ବର ଥିବା ଭାରତକୁ ୧୨ ନମ୍ବର ଦଳ ନ୍ୟୁଜିଲାଣ୍ଡ ସଡନ୍ ଡେଥ୍ରେ ୫-୪ ଗୋଲ୍ରେ ହରାଇ ଦେଇଛି । ଉଭୟ ପେନାଲଟି ଓ ସଡନ୍ଡେଥରେ ଗୋଲ୍ ମିସ୍ କରି ଭାରତୀୟ ଦଳ ନିଜ ପାଇଁ ପରାଜୟକୁ ଡାକି ଆଣିଥିଲା । ଫଳରେ ଘରୋଇ ଦର୍ଶକ ସହ ଦେଶର ହକି ପ୍ରେମୀ ନିରାଶ ହୋଇଛନ୍ତି ।
ପୂର୍ବ ମ୍ୟାଚ୍ ଭଳି ଆଜି ବି ଭାରତକୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା । ପ୍ରଥମେ ୨ଟି ଗୋଲ୍ ଦେଇ ଆଗୁଆ ରହିଥିଲେ ମଧ୍ୟ ଠିକ୍ େଓ୍ଵଲ୍ସ ବିପକ୍ଷ ମ୍ୟାଚ୍ ଭଳି ପ୍ରତିପକ୍ଷକୁ ଫେରିବାର ସୁଯୋଗ ଦେଇଥିଲା । ଫଳରେ ମ୍ୟାଚ୍ ୨-୨ ସ୍ତରକୁ ଆସିଥିଲା । ପରେ ଭାରତ ଆଉ ଗୋଟିଏ ଗୋଲ୍ ଦେଇ ୩-୨ରେ ଆଗୁଆ ରହିଥିଲା । ହେଲେ ଏହି ଖୁସି ବେଶି ସମୟ ରହିଲା ନାହିଁ । ମ୍ୟାଚ୍ର ଶେଷ କ୍ଷଣରେ ନ୍ୟୁଜିଲାଣ୍ଡ ଆଉ ଗୋଟିଏ ଗୋଲ୍ ଦେଇ ଖେଳକୁ ୩-୩ ସ୍ତରକୁ ନେଇ ଆସିଥିଲେ । କ୍ୱାର୍ଟରଫାଇନାଲ୍ରେ କ୍ୱିଓ୍ଵି ଦଳ ଗତ ଚାମ୍ପିଅନ୍ ବେଲଜିୟମକୁ ଭେଟିବ ।
ଏହାପରେ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲଟି ସୁଟଆଉଟ୍ ହୋଇଥିଲା । ଏଥିରେ ମଧ୍ୟ ଉଭୟ ଦଳ ପୁଣି ବରାବର ରହିଥିଲେ । ତେଣୁ ଶେଷରେ ସଡନ୍ ଡେଥ୍ର ସାହାରା ନିଆଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ଠାରୁ ପଛରେ ପଡ଼ି ଯାଇଥିଲା ଭାରତ । ଅବଶ୍ୟ ନିର୍ଣ୍ଣାୟକ ସମୟରେ ଷ୍ଟାର ଗୋଲକିପର ଶ୍ରୀଜେସ ଆହତ ହେବା ଘଟଣା ଦଳକୁ ସମସ୍ୟାରେ ପକାଇଥିଲା । ତେବେ ନ୍ୟୁଜିଲାଣ୍ଡ ଦଳ ମାନ୍ୟତାରେ କମ୍ ଥିଲେ ମଧ୍ୟ ଚମତ୍କାର ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା ।
ପୂର୍ବରୁ ଅନ୍ୟ ଏକ କ୍ରସ୍ ଓଭର ମ୍ୟାଚ୍ରେ ସ୍ପେନ ପେନାଲଟି ସୁଟଆଉଟ୍ରେ ୪-୩ ଗୋଲ୍ରେ ମାଲେସିଆକୁ ହରାଇ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛି ।