ଦୁବାଇରେ ହେବ ଧମାକା, ଏସିଆ କପରେ ଆଜି ଭାରତ-ପାକ୍ କ୍ରିକେଟ୍ ଲଢ଼େଇ, ଉତ୍କଣ୍ଠାରେ କ୍ରିକେଟ୍ ପ୍ରେମୀ

ଦୁବାଇ : ଆଜି ଅପରାହ୍ନ ୪.୩୦ରେ ପଡ଼ିବ ଟସ୍ । ଭାରତୀୟ ସମୟ ୫ଟା ବେଳେ ଆରମ୍ଭ ହେବ ଭାରତ-ପାକିସ୍ତାନ କ୍ରିକେଟ୍ ଲଢ଼େଇ । ଯାହାକୁ ଅପେକ୍ଷା କରିଛନ୍ତି ସାରା ବିଶ୍ବର କ୍ରିକେଟ୍ ପ୍ରେମୀ । କାରଣ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଲେ ଯେମିତି ନିଆଁ ଲାଗିଯାଏ । ଖେଳାଳି ହୁଅନ୍ତୁ କି ଦର୍ଶକ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଏହି ମ୍ୟାଚକୁ । ଚଳିତ ଏସିଆ କପର ସବୁଠୁ ବଡ଼ ଓ ଆକର୍ଷଣୀୟ ମ୍ୟାଚ୍ ହେବ ବୋଲି ସମସ୍ତଙ୍କର ଆଶା । ବର୍ଷକ ପରେ ଦୁଇ ଦଳ ପରସ୍ପରକୁ ଭେଟୁଛନ୍ତି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଗତ ବର୍ଷ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ସେଥିରେ ଜିତିଥିଲା ପାକିସ୍ତାନ ।

କିଏ କେମିତି

ଏବେ ନଜର ପକାଇବା ଦୁଇ ଦଳର ଶକ୍ତି ଉପରେ । ପ୍ରଥମ କଥା ହେଉଛି ଗତକାଲି ଭାରତ ତାର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲେ ବି କ୍ରିକେଟର ଶିଶୁ ହଂକଂ ଯେଉଁ ଝଟକା ଦେଇଛି ସେଥିରୁ ବାହାରି ପାକିସ୍ତାନ ଭଳି ଚାପ ଥିବା ମ୍ୟାଚରେ କିଭଳି ଖେଳିବ ତାକୁ ନେଇ ଭାରତୀୟ କ୍ରିକେଟ୍ ପ୍ରେମୀ ଏବେ ସନ୍ଦେହ ଭିତରେ । ହଂକଂ ଭଳି ଦଳକୁ ଭାରତୀୟ ବୋଲର ଅଲଆଉଟ୍ କରି ପାରିଲେ ନାହିଁ । ପୁଣି ଏହାର ଦୁଇ ଓପ୍ନର ଏମାନଙ୍କୁ ନାକେଦମ କରିଦେଲେ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦଳରେ ଥିଲେ ମଧ୍ୟ ବିରାଟ କୋହଲିଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଛି । କାରଣ ତାଙ୍କ ଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ରଖି ଖେଳୁଥିବା ଖେଳାଳି ଖୁବ୍ କମ୍ ଅଛନ୍ତି । ଓପ୍ନର କିମ୍ବା ମଧ୍ୟଭାଗ ସଫଳ ହେଲେ ଭାରତ ପ୍ରଥମେ ବ୍ୟାଟିଂ କରୁ କି ଦ୍ବିତୀୟରେ କିଛି ଫରକ ପଡ଼ିବ ନାହିଁ । ତେବେ ଗତ ମ୍ୟାଚର ତ୍ରୁଟିକୁ ଭୁଲି ବୋଲର ଏବଂ ଫିଲଡର ଆହୁରି ଦାୟିତ୍ବପୂର୍ଣ୍ଣ ଭାବେ ଖେଳିବା ଦରକାର । କାରଣ ଇଏ ହେଉଛି ପାକିସ୍ତାନ ଦଳ । ଅବଶ୍ୟ ଆଜିର ମ୍ୟାଚରେ ପେସ୍ ବୋଲର ଯଶପ୍ରୀତ ବୁମରା ଖେଳିବେ । ଯାହା ଭାରତୀୟ ବୋଲିଂ ବିଭାଗକୁ ଆହୁରି ଶକ୍ତିଶାଳୀ କରିବ ।

INDIA TEAM

ପାକ୍ ଦଳ ବ୍ୟାଟିଂରେ ବେଶ୍ ଶକ୍ତିଶଳୀ ଅଛି । ବାବର ଆଜମ ସବୁଠୁ ଭଲ ଫର୍ମରେ ଅଛନ୍ତି । ଓପ୍ନର ଏତେ ଭଲ ବ୍ୟାଟିଂ କରୁଛନ୍ତି ଯେ ମଧ୍ୟଭାଗରେ ସୋଏବ ମଲ୍ଲିକ ଅପରାଜିତ ରହି ଖାଲି ଫିନିସଂ ଟଚ୍ ଦେଉଛନ୍ତି । ସେହିପରି ଅଧିନାୟକ ସର୍ଫରାଜ ଅହମଦ ଗତ ୨୦ଟି ଦିନିକିଆରୁ ୧୦ଟିରେ ବ୍ୟାଟିଂ କରିବାକୁ ଆସି ନାହାନ୍ତି । ସେହିପରି ପାକିସ୍ତାନର ଫିଲଡିଂରେ ମଧ୍ୟ ଆଗ ଅପେକ୍ଷା ଅନେକ ଉନ୍ନତି ଘଟିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ କିଛି ବର୍ଷ ହେଲା ଲଗାତର ଦୁବାଇରେ ଖେଳି ଏହାକୁ ନିଜର ହୋମଗ୍ରାଉଣ୍ଡ କାରି ସାରିଛି ପାକିସ୍ତାନ । ଆଉ ଭାରତ ଏଠି ଅନେକ ବର୍ଷ ପରେ ଖେଳୁଛି । ଯାହା ପାକିସ୍ତାନକୁ ଅପେକ୍ଷାକୃତ ଭଲ ସ୍ଥିତିରେ ରଖିଛି । ତେଣୁ ଭାରତୀୟ ଖେଳାଳିଙ୍କୁ ଅତି ସତର୍କତା କିନ୍ତୁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିବାକୁ ହେବ । ନଚେତ ବାଜି ପଲଟି ଯାଇପାରେ । ଭାରତ ଓ ପାକିସ୍ତାନ ଉପମହାଦେଶର ଦୁଇ ଶ୍ରେଷ୍ଠ ଦଳ । ପରସ୍ପରର ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ଭଲ ଭାବେ ଜାଣନ୍ତି । ତେଣୁ ରଣନୀତି ମଧ୍ୟ ଉଭୟ ପକ୍ଷରୁ ସେହିଭଳି ପ୍ରସ୍ତୁତ ହେବ । ଦୁଇ ଦଳରେ ଦୁଇ ଜଣ ମହାରଥୀ ତଥା ଅଭିଜ୍ଞ ଖେଳାଳି ରହିଛନ୍ତି । ପାକିସ୍ତାନର ସୋଏବ ମଲ୍ଲିକ ଓ ଭାରତର ମହେନ୍ଦ୍ର ସିଂହ ଧୋନି । ସେମାନଙ୍କ ଠାରୁ ମଧ୍ୟ ଦଳ ବହୁତ କିଛି ଆଶା କରୁଛି । ଗୋଟିଏ ଗ୍ରୁପରେ ରହିଛନ୍ତି ଦୁଇଟି ଯାକ ଦଳ । ତେଣୁ ଯେମିତି ହେଉ ଜିତିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ । ଯାହା ମ୍ୟାଚର ଆକର୍ଷଣକୁ ଆହୁରି ବଢ଼ାଇ ଦେବ ।

PAKISTAN TEAM

ପିଚ୍ ଓ ପରିବେଶ : ଦୁବାଇରେ ଏଭେ ଭାରି ଗରମ । ତାପମାତ୍ରା ହାରାହାରି ୪୦ ଡିଗ୍ରୀ ରହୁଛି । ଯାହା ଖେଳାଳିଙ୍କୁ ଅସୁବିଧାରେ ପକାଉଛି । ତେବେ ଆଜି ଖେଳାଯିବାକୁ ଥିବା ଦୁବାଇ ଷ୍ଟାଡିୟମର ପିଚ୍ ପ୍ରଥମେ ପେସ୍ ବୋଲର ଓ ପରେ ସ୍ପିନରଙ୍କୁ ସହାୟତା ଦେବ ।

ଭାରତ-ପାକ୍ ଦିନିକିଆ ରେକର୍ଡ଼

ଏବେ ଆସନ୍ତୁ ନଜର ପକାଇବା ଭାରତ-ପାକିସ୍ତାନ ମ୍ୟାଚ୍‌ ରେକର୍ଡ଼ ଉପରେ । ଉଭୟ ଦଳ ଦିନିକିଆରେ ୧୨୯ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୫୨ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ଜିତିଛି ୭୩ଟି । ଡ୍ର ରହିଛି ୪ଟି ମ୍ୟାଚ୍‌ । ସେହିପରି ଏସିଆ କପ୍‌ରେ ଭାରତ-ପାକିସ୍ତାନ ଖେଳିଛନ୍ତି ୧୨ଟି ମ୍ୟାଚ୍‌ । ଭାରତ ୬ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୫ଟି ଜିତିଛି । ବିନା ଫଳାଫଳରେ ଶେଷ ହୋଇଛି ଗୋଟିଏ ମ୍ୟାଚ୍‌ । ସେହିପରି ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆ ୬ ଥର ଚାମ୍ପିଅନ୍‌ ହୋଇଥିବା ବେଳେ ପାକିସ୍ତାନ ଟ୍ରଫି ଜିତିଛି  ୨ ଥର । ୨୦୧୦ରୁ ୨୦୧୮ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଅଧିକାଂଶ ଜିତିଛି ଭାରତୀୟ ଦଳ । ଏ ଭିତରେ ଉଭୟ ଦଳ ୧୧ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୭ଟି ଓ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ମୋଟ ୧୧ଟି ଏସିଆ କପ୍ ସଂସ୍କରଣ ଭିତରୁ ଭାରତ ୬ଥର ଟ୍ରଫି ଜିତିଛି । ଉଭୟ ଦଳ ପରସ୍ପରକୁ ଭେଟିବା ପରେ ପାକିସ୍ତାନ ସେହି ସମୟ ଭିତରେ ୧୫ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ସେଥିରୁ ୧୦ଟିରେ ବିଜୟୀ ହୋଇଛି । ସେହିଭଳି ଭାରତ ୩୧ଟି ମ୍ୟାଚରୁ ଜିତିଛି ୨୩ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.