ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨: ଆୟର୍ଲାଣ୍ଡକୁ ହରାଇଲା ଭାରତ; ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ କଲା କ୍ୱାଲିଫାଇ

ୱେଷ୍ଟଇଣ୍ଡିଜରେ ଚାଲିଥିବା ‘ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨’ର ଗ୍ରୁପ ବି ମ୍ୟାଚରେ ଭାରତ, ଆୟର୍ଲାଣ୍ଡ ବିପକ୍ଷରେ ୧୭୪ ରନର ବିଜୟ ହାସଲ କରିଛି। କ୍ୟାପଟେନ ୟଶ ଢୁଲ ଏବଂ ଅନ୍ୟ ୬ ଖେଳାଳିଙ୍କ ଅନୁପସ୍ଥିତ ସତ୍ତ୍ୱେ ଭାରତ ଏହି ବିଜୟ ହାସଲ କରି ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବୁଧବାର ରାତିରେ ବ୍ରାୟନ ଲାରା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୦୭ ରନ ସ୍କୋର କରିଥିଲା। ପରେ ଆୟର୍ଲାଣ୍ଡକୁ ୩୯ ଓଭରରେ ୧୩୩ ରନ୍‌ରେ ସୀମିତ ରଖିଥିଲା।

ଆୟର୍ଲାଣ୍ଡ ପାଇଁ ସ୍କଟ ମ୍ୟାକବେଥ ୩୨ ଏବଂ ଜେଶୁଆ କକ୍ସ ୨୮ ରନ ସ୍କୋର କରିଥିଲେ। ଭାରତ ତରଫରୁ ଅନିଶ୍ୱର ଗୌତମ, ଗର୍ଗ ସାଙ୍ଗୱାନ ଓ କୌଶଲ ତାମ୍ବେ ଦୁଇ ଦୁଇଟି ୱିକେଟ୍ ହାତେଇଥିଲେ। ସେମାନଙ୍କ ବ୍ୟତୀତ ହେଙ୍ଗାରଗେକର, ରବି କୁମାର ଓ ଭିକ୍କି ଓଷ୍ଟୱାଲ ମଧ୍ୟ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଗ୍ରୁପ୍ ବିରେ ଏହା ହେଉଛି ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ଏହା ପୂର୍ବରୁ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ୪୫ ରନରେ ଜିତିଥିଲା। ଭାରତୀୟ ଦଳ ଏବେ ଦୁଇଟି ମ୍ୟାଚରେ ୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଏଥି ସହିତ ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ କ୍ୱାଲିଫାଇ କରି ନେଇଛି। ଭାରତ ଗ୍ରୁପ୍ ବି’ରେ ନିଜର ଶେଷ ମ୍ୟାଚ୍‌ ଶନିବାର ୟୁଗାଣ୍ଡା ବିପକ୍ଷରେ ଖେଳିବ।

ତେବେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା। ଦଳ ତରଫରୁ ଅଙ୍ଗକୃଶ ରଘୁବଂଶୀ ୭୯ ଏବଂ ହରନୁର ସିଂ ୮୮ ରନ୍‌ କରିଥିଲେ। ଏହି ଦୁଇ ଓପନରଙ୍କ ମଧ୍ୟରେ ୧୬୪ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। କ୍ୟାପଟେନଙ୍କ ଅନୁପସ୍ଥିତିରେ ନିଶାନ୍ତ ସିନ୍ଧୁ ଦଳର ନେତୃତ୍ୱ ନେଇଥିଲେ। ୭୯ ରନ୍ର ଇନିଂସ ସମୟରେ ରଘୁବଂଶୀ ସମାନ ସଂଖ୍ୟକ ବଲ ଖେଳି ୧୦ଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ। ହରନୁର ୧୦୧ ବଲ୍‌ର ସାମ୍ନା କରି ୧୨ ଥର ସୀମାରେଖା ପାର୍‌ କରାଇଥିଲେ।

ଏହି ଦୁଇ ଜଣଙ୍କ ବ୍ୟତୀତ ରାଜ ବାୱା ୪୨ ରନ (୬୪ ବଲ୍‌ରେ ଦୁଇଟି ଚୌକା ଓ ଗୋଟିଏ ଛକା) ଏବଂ ଅଧିନାୟକ ନିଶାନ୍ତ ସିନ୍ଧୁ ୩୪ ବଲରେ ୫ଟି ଚୌକା ମାରି ୩୬ ରନ୍ କରିଥିଲେ। ରାଜବର୍ଦ୍ଧନ ହେଙ୍ଗାରଗେକର ଶେଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୧୭ ବଲରେ ୫ଟି ଛକା ଓ ଗୋଟିଏ ଚୌକାରେ ୩୯ ରନ୍‌ ଯୋଡ଼ି ଦଳକୁ ୩୦୦ ରନ୍‌ ପାର୍‌ କରେଇବାରେ ସାହାଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.