ନ୍ୟୁଜିଲାଣ୍ଡ ବନାମ ଭାରତ ପ୍ରଥମ ଦିନିକିଆ; ନ୍ୟୁଜିଲାଣ୍ଡକୁ ୩୦୭ରନର ଟାର୍ଗେଟ ଦେଲା ଭାରତ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଶିଖର ଧଓ୍ଵନଙ୍କ ଅଧିନାୟକତ୍ୱରେ ଦଳ ଦମଦାର ପ୍ରଦର୍ଶନ କରୁଛି । ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୦୬ ରନ କରିଛି। ନ୍ୟୁଜିଲାଣ୍ଡକୁ ୩୦୭ ରନର ଟାର୍ଗେଟ ଦେଇଛି ଭାରତ ।
ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୮୦ ରନର ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ ଶିଖର ଧଓ୍ଵନ ୭୨ ରନ ଏବଂ ଶୁଭମାନ ଗିଲ୍ ୫୦ ରନ କରିଛନ୍ତି। ସଞ୍ଜୁ ସାମସନ ୩୬ ରନ କରିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୧୬ ବଲ୍ ୩୭ ରନର ଅପରାଜିତ ରହିଛନ୍ତି । ତେବେ ମାତ୍ର ୪ ରନ୍ କରି ଆଉଟ୍ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗ୍ୟୁସନ ୩ଟି ଓ୍ଵିକେଟ୍ ଏବଂ ଟିମ ସାଉଦି ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୭୫ ରନ ଦେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।