ସଣ୍ଡେ ଥ୍ରୀଲରରେ ନ୍ୟୁଜିଲାଣ୍ଡକୁ ୨୫୦ ରନର ଚ୍ୟାଲେଞ୍ଜ ଦେଲା ଟିମ୍ ଇଣ୍ଡିଆ

ଦୁବାଇ : ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ବିଜୟଲକ୍ଷ୍ୟ ରଖିଲା ଭାରତ । ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ‘ଏ‘ର ଶେଷ ଲିଗ୍ ମ୍ୟାଚରେ ଆଜି ଟସ୍ ହାରି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା ।
ପ୍ରଥମ ତିନି ଜଣ ବ୍ୟାଟର ଅଳ୍ପ ରନରେ ଆଉଟ୍ ହେବା ଫଳରେ ଭାରତ ମାତ୍ର ୩୦ ରନରେ ୩ଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ଏହି ସମୟରେ ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲ ଦୃଢ଼ ବ୍ୟାଟଂ କରି ଚତୁର୍ଥ ୱିକେଟରେ ୯୮ ରନ୍ ଯୋଡ଼ିଥିଲେ । ପରେ ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ଏହି ସ୍କୋରରେ ପହଞ୍ଚି ପାରିଲା । ଅକ୍ଷର ପଟେଲ ୪୨,ଶ୍ରେୟସ ଆୟର ୭୯, କେଏଲ୍ ରାହୁଲ ୨୩, ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍ ସ୍କୋର କରିଥିଲେ ।
ତେବେ ଯାହା ଉପରେ ଆଶା ଥିଲା ସେମାନେ କିନ୍ତୁ ଫ୍ଲପ୍ ମାରିଲେ । ରୋହିତ ଶର୍ମା ୧୫, ଶୁବମନ ଗିଲ ୨ ଏବଂ ନିଜର ୩୦୦ତମ ଦିନିକିଆ ମ୍ୟାଚ୍ ଖେଳୁଥିବା ବିରାଟ କୋହଲି ୧୧ ରନ୍ କରି ଆଉଟ୍ ହୋଇଥିଲେ । ମ୍ୟାଟ ହେନରୀଙ୍କ ବଲରେ ବିରାଟଙ୍କର ଏକ ଅତି ଚମତ୍କାର ଉଡ଼ନ୍ତା କ୍ୟାଚ୍ ଧରିଥିଲେ ଗ୍ଲେନ୍ ଫିଲିପ୍ସ। ହେନରୀ ବଢ଼ିଆ ବୋଲିଂ କରି ୧୦ ଓଭରରେ ୪୨ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି । ଏବେ ଭାରତୀୟ ବୋଲର ଓ ଫିଲଡର କି କମାଲ କରୁଛନ୍ତି ତାକୁ ଦେଖିବା ବାକି ରହିଲା ।
ଯଦିଓ ଗ୍ରୁପ୍ ‘ଏ‘ରୁ ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି ତଥାପି ଗ୍ରୁପ୍ ଶୀର୍ଷ ଦଳ ଭାବେ କିଏ ଉଭା ହେବ ତାହା ଏହି ମ୍ୟାଚର ଫଳାଫଳ ନିର୍ଣ୍ଣୟ କରିବ ।
