ଭାରତ-ଦକ୍ଷିଣ ଆଫ୍ରିକା T20 ସିରିଜ୍ ଡ୍ର,ନିର୍ଣ୍ଣାୟକ ଶେଷ ମୁକାବିଲା ଲଗାଣ ବର୍ଷା ଯୋଗୁଁ ବାତିଲ

କେନ୍ୟୁଜ୍(ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା T20 ସିରିଜ୍ ଡ୍ର । ୫ ଟିକିଆ ସିରିଜ୍ ୨-୨ରେ ଅମୀମାଂସିତ ଭାବେ ଶେଷ ହୋଇଛି । ବେଙ୍ଗାଲୁରରେ ଖେଳାଯାଉଥିବା ନିର୍ଣ୍ଣାୟକ ଶେଷ ମୁକାବିଲା ଲଗାଣ ବର୍ଷା ଯୋଗୁଁ ବାତିଲ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିଲା ଭାରତ ।
ପ୍ରଥମ ଓଭରରେ ହିଁ ୨ଟି ଛକା ମାରି ବଡ ସ୍କୋର କରିବାର ସଂକେତ ଦେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ୨ ଓଭରରୁ ହିଁ ଖେଳର ମୋଡ ଦକ୍ଷିଣ ଆଫ୍ରିକା ସପକ୍ଷକୁ ବୁଲିଥିଲା । ଏନଗିଡି ଲଗାତାର ୨ ଓଭରରେ ୨ଟି ୱିକେଟ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଏହି ସମୟରେ ଆରମ୍ଭ ହୋଇଥିଲା ବର୍ଷା । ଦଳର ସ୍କୋର ୩.୩ ଓଭରରେ ୨୮ ରନ ହୋଇଥିବା ବେଳେ ବର୍ଷା କାରଣରୁ ପ୍ୟାଭିଲିୟନକୁ ଫେରିଥିଲା ଟିମ୍ ଇଣ୍ଡିଆ । ଦୀର୍ଘ ସମୟ ଧରି ବର୍ଷା ନଥମିବାରୁ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର ।