ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌, ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଦଳ

ଲକ୍ଷ୍ମୌ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ । ଲକ୍ଷ୍ମୌରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ଶିଖର ଧଓ୍ଵନ । ଏଥିପାଇଁ ଉଭୟ ଦଳର ଖେଳାଳି ଝାଳବୁହା ଅଭ୍ୟାସ କରିଛନ୍ତି । ଟି-୨୦ ସିରିଜରେ ବାଜିମାତ ପରେ ଓ୍ଵାନଡେ ସିରିଜକୁ କବଜା କରିବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ ।

ସେପଟେ ଦିନିକିଆ ସିରିଜ୍‌ ଜିତି ଟି-୨୦ ବିଶ୍ୱକପରେ ଦବଦବା ହାସଲ କରିବାକୁ ସ୍ୱତନ୍ତ୍ର ଗେମ ପ୍ଲାନ କରିଛି ଭ୍ରମଣକାରୀ ଟିମ । ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟକ ଧଓ୍ଵନ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଟି-୨୦ ବିଶ୍ୱକପ୍‌ ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ନିଜକୁ ସାବ୍ୟସ୍ତ କରିବ ପାଇଁ ଭଲ ସୁଯୋଗ ମିଳିବ । ଆହତ କାରଣରୁ ଯଶପ୍ରୀତ ବୁମରା ବିଶ୍ୱକପରୁ ବାଦ୍‌ ପଡିଛନ୍ତି । ଏଭଳି ସ୍ଥିତିରେ ଦୀପକ ଚହର ଏବଂ ମହମ୍ମଦ ସିରାଜଙ୍କ ନିକଟରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ଭଲ ସୁଯୋଗ ରହିଛି ।

ଚହର ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି । ମହମ୍ମଦ ଶାମି ଅକ୍ଟୋବର ୧୫ ପୂର୍ବରୁ ମ୍ୟାଚ୍‌ ପାଇଁ ଫିଟ୍‌ ନହେବା ସ୍ଥିତିରେ ମହମ୍ମଦ ସିରାଜଙ୍କ ନିକଟରେ ଦଳରେ ସ୍ଥାନ ପାଇବାର ସୁଯୋଗ ରହିଛି । ବୁମରା ବାଦ୍‌ ପଡିବା ପରେ ତାଙ୍କର ବଦଳ ଖେଳାଳି ଭାବେ ପ୍ରବଳ ଦାବିଦାର ହେଉଛନ୍ତି ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.