ପ୍ରବଳ ବର୍ଷାରେ ଉବୁଟୁବୁ ଗୁଜରାଟ । ଗୁଜରାଟ ଭଦୋଦରା ସମତେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଲୋକେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି । ଏମିତିରେ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳି ରାଧା ଯାଦବ ମଧ୍ୟ ବନ୍ୟାରେ ଫସିଛନ୍ତି । ସୋସିଆଲ ମିଡିଆରେ ରାଧା ଏ ବିଷୟରେ ପୋଷ୍ଟ କରିବା ପରେ ଏନଡିଆରଏଫ ଟିମ୍ ତାଙ୍କୁ ଉଦ୍ଧାର କରିଥିଲା ।
ବାମ ହାତୀ ସ୍ପିନର ରାଧା ଯାଦବ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ରାଧା ଭିଡିଓରେ ଲେଖିଛନ୍ତି, ଆମେ ବହୁତ ଖରାପ ସ୍ଥିତିରେ ଫସିଛୁ । ଆମକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଟିମକୁ ବହୁତ ବହୁତ ଧନ୍ୟବାଦ । ଆପାର୍ଟମେଣ୍ଟରେ ପାଣିରେ ଫସିଛୁ । ଚାରିଆଡେ କେବଳ ପାଣି ହିଁ ପାଣି । କାର ଏବଂ ଅନ୍ୟ ଗାଡି ସବୁ ପାଣିରେ ବୁଡିଛି । ଏନଡିଆରଏଫ ଟିମ୍ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
୨୪ ବର୍ଷୀୟ ରାଧାର ଯାଦବ ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ସ୍ପିନର । ଭାରତ ପାଇଁ ୮୦ଟି ଟି୨୦ ମ୍ୟାଚ ଖେଳିଥିବା ବେଳେ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ୯୦ ଓ୍ୱିକେଟ ନେଇଛନ୍ତି । ରାଧା WPL ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ । ଅଷ୍ଟ୍ରେଲିଆରେ ହେବାକୁ ଥିବା ମହିଳା ବିଗ ବାଶ ଲିଗରେ ସିଡନୀ ସିକ୍ସର୍ସ ଟିମ ପାଇଁ ଖେଳିସାରିଛନ୍ତି ।
ତେବେ ରାଧାଙ୍କ ପୂର୍ବରୁ ଇରଫାନ ପଠାନ ଭଦୋଦରା ବନ୍ୟା ସ୍ଥିତି ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଇରଫାନ ଲୋକଙ୍କୁ ଘରେ ରହିବାକୁ ଅପିଲ କରୁଥିଲେ । ଭଦୋଦରାରେ ଏନଡିଆରଏଫ ଟିମ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ।
Stay safe, Baroda. Flooding is widespread, so please stay indoors for your own safety.
— Irfan Pathan (@IrfanPathan) August 28, 2024
ସୂଚନାଯୋଗ୍ୟ, ଗୁଜରାଟରେ ଲଗାଣ ବର୍ଷାରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ମଧ୍ୟ ସୌରାଷ୍ଟ୍ର ଅଂଚଳକୁ ପ୍ରବଳ ବର୍ଷା ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏବେ ବି ଅନେକ ବନ୍ୟା ପାଣି ଘେରରେ ଫସି ରହିଛନ୍ତି ।ରେକର୍ଡ ବର୍ଷା ହେତୁ ଗୁଜରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ରାଜ୍ୟର ୨୪ଟି ନଦୀରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର । ପାଣିପାଗ ବିଭାଗ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କ ସୂଚନା ଦେଇଛି । ଏସଡିଆରଏଫ, ଏନଡିଆରଏଫ ସହ ସେନା ଏବଂ କୋଷ୍ଟାଗାର୍ଡ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।