ଟି-୨୦ ବିଶ୍ଵକପ : ଜିମ୍ବାୱେକୁ ହରାଇ ଗ୍ରୁପ ୨ର ଶୀର୍ଷରେ ଭାରତ

ମେଲବର୍ଣ୍ଣ : ଚଳିତ ଟି୨୦ ବିଶ୍ୱ କପ୍‌ରେ ଆଜି ଜିମ୍ବାୱେକୁ ୭୧ ରନରେ ହରାଇଛି ଭାରତ। ଏହା ସହିତ ସେମିଫାଇନାଲ୍‌ରେ ଇଂଲଣ୍ଡ ସହ ମୁକାବିଲା କରିବାକୁ ଯୋଗ୍ୟତା ହାସଲ କରିଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା ଏବଂ ଜିମ୍ବାୱେକୁ ୧୮୭ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ହେଲେ ଏହାର ବ୍ୟାଟରମାନେ ୧୭.୨ ଓଭରରେ ୧୧୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲେ । ମାତ୍ର ୩୬ ରନ୍‌ରେ ଏହାର ୫ ଓ୍ଵିକେଟ୍‌ ପଡ଼ି ଯାଇଥିଲା । ତେବେ ସିନ୍ଦର ରାଜା ଓ ରିୟାନ୍‌ ବ୍ଲକ୍‌ ଯଥାକ୍ରମେ ୩୪ ଓ ୩୫ ରନ୍‌ କରି ଦଳକୁ ଶହେ ରନ୍‌ ଉପରକୁ ନେଇ ଯାଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ଓ ଅଶ୍ୱିନ୍‌ ୩ଟି ଲେଖାଏଁ ଏବଂ ସାମି ଓ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇ ଦୁର୍ବଳ ଜିମ୍ବାୱେକୁ ଧରାଶାୟୀ କରି ଦେଇଥିଲେ ।

ସୁପର ୧୨ ରାଉଣ୍ଡ ଶେଷରେ ଭାରତ ୫ଟି ମ୍ୟାଚ୍‌ ଖେଳି ସର୍ବାଧିକ ୮ ପଏଣ୍ଟ ଏବଂ + ୧.୩୧୯ ରନ୍‌ ହାର ସହ ପ୍ରଥମ ସ୍ଥାନରେ ରହିଛି । ତା ପଛକୁ ୬ ପଏଣ୍ଟ ସହିତ ରହିଛି ପାକିସ୍ତାନ । ଗ୍ରୁପ୍‌-୨ରୁ ଉଭୟ ଭାରତ ଓ ପାକିସ୍ତାନ ସେମିଫାଇନାଲକୁ ଆସିଛନ୍ତି ।

ସେହିପରି ଗ୍ରୁପ୍‌-୧ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ୍‌ରେ ପହଞ୍ଚି ସାରିଛନ୍ତି । ଆସନ୍ତା ୧୦ ତାରିଖ ଦିନ ଭାରତ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ଅନ୍ୟ ସେମିଫାଇନାଲ୍‌ ଟକ୍କର ହେବ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଆଉ ଯଦି ଦୁଇ ଏସୀୟ ଦଳ ସେମିଫାଇନାଲ୍‌ରେ ଜିତି ଯାଆନ୍ତି ତେବେ ଫାଇନାଲ୍‌ରେ ପୁଣି ହେବ ଭାରତ-ପାକିସ୍ତାନ କ୍ରିକେଟ୍‌ ଯୁଦ୍ଧ ।

ଭାରତର ବ୍ୟାଟିଂ:

ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ ରନ୍ କରିଥିବା ବେଳେ କେଏଲ୍ ରାହୁଲ ୫୧ ରନ୍, ବିରାଟ କୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଛନ୍ତି। ଆଜି ପୁଣି ଫେଲ୍ ମାରିଥିଲେ ରୋହିତ ଶର୍ମା(୧୫)। ୨୭ ରନରେ ରୋହିତଙ୍କ ପ୍ରଥମ ଓ୍ଵିକେଟ ଯାଇଥିଲା। ଏହାପରେ ବିରାଟ କୋହଲି ଓ କେଏଲ୍ ରାହୁଲ ଦୁହେଁ ଖେଳକୁ ସମ୍ଭାଳିଥିଲେ। ବିରାଟ କୋହଲି ୨୬ ରନ୍ କରି ଆଉଟ ହୋଇଥିଲେ। ଏପଟେ କେଏଲ ରାହୁଲ(୫୧) ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଛକା ମାରି ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ୍ ହୋଇଯାଇଥିଲା।

ଏହାପରେ ବିରାଟଙ୍କ ପରେ ପନ୍ତ ୩ ରନ କରି ଆଉଟ୍‌ ହୋଇଥିଲେ । ପନ୍ତ ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରି ଆଉଟ୍‌ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.