ବାରବାଟୀ ଲଢେଇ: ନିରାଶ କଲା ଅନଲାଇନ ଟିକେଟ, ଅଧଘଣ୍ଟା ଭିତରେ ବୁକିଂ ଶେଷ

କଟକ:  ସଜେଇ ହେଉଛି ବାରବାଟୀ ।  ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବ୍ଲାକ ସଏଲ ବା କଳା ମାଟିରେ ତିଆରି ପିଚରେ ଖେଳାଯିବ ମ୍ୟାଚ । ଆସନ୍ତା ୫ ଓ ୬ ତାରିଖ ଦିନ ସାଧାରଣ ଦର୍ଶକ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ଏଥିପାଇଁ ଷ୍ଟାଡିଅମ ପରିସରରେ ଥିବା ୫ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ଟିକେଟ ବିକ୍ରି ଦିନ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଜାରି ରହିବ । ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୨ ହଜାର ଟିକେଟ ବିକ୍ରି କରାଯିବ।  ପ୍ରଥମ ଥର ଲାଗି ବାରବାଟୀ ଷ୍ଟାଡିୟମର ପଛ ପଟେ ଟିକେଟ କାଉଣ୍ଟର କରାଯାଇଛି। ଆସନ୍ତା ୯ରେ ଭାରତ-ଇଂଲଣ୍ଡ ବିଗ ଫାଇଟ ପାଇଁ ବାରବାଟୀ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଥିବା ଓସିଏ ସଂପାଦକ ସଞ୍ଜୟ ବେହେରା କହିଛନ୍ତି ।

ଓସିଏ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଅପରାହ୍ନ ଠିକ ୪ଟା ବେଳେ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ପ୍ରଥମ ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଗ୍ୟାଲେରୀ ଟିକେଟ ଶେଷ ହୋଇ ଯାଇଥିଲା । ଏହାପରେ ସ୍ପେଶାଲ ଏନ୍‌କ୍ଲୋଜର, ଏସି ଗ୍ୟାଲେରି ବକ୍ସ ଓ ନ୍ୟୁ ପାଭିଲିୟନ ଭଳି ଦାମୀ ଟିକେଟ ମଧ୍ୟ ଶେଷ ହୋଇଯାଇଥିଲା । ଟିକେଟ ବୁକିଂ ପାଇଁ ଧାର୍ଯ୍ୟ ହୋଇ ଥିବା district.inର ୱେବସାଇଟ ଏବଂ District Appରେ କ୍ୱିଉ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ଦର୍ଶକ । ତେବେ ଆସନ୍ତା ୫ ତାରିଖରେ କାଉଣ୍ଟରରେ ଟିକେଟ କିଣିବା ପାଇଁ ଉଦ୍ୟମ କରିବେ ବୋଲି ଦର୍ଶକ କହିଛନ୍ତି ।

ମ୍ୟାଚ ପାଇଁ ଧାର୍ଯ୍ୟ ହୋଇଥିବା ଟିକେଟ ଦର:

ଗ୍ୟାଲେରୀ ନଂ-୧ ଓ ୩ ନଂ ପାଇଁ ଟିକେଟ ଦର ୧୧୦୦ଟଙ୍କା
ଗ୍ୟାଲେରୀ ନଂ-୨ ଓ ୪ ନଂ ପାଇଁ ଟିକେଟ ଦର ୯୦୦ ଟଙ୍କା
ଗ୍ୟାଲେରୀ ନଂ-୫ ପାଇଁ ୧୫୦୦ ଟଙ୍କା,
ଗ୍ୟାଲେରୀ ନଂ-୭ ପାଇଁ ୭୦୦ ଟଙ୍କା
ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ୬ ହଜାର ଟଙ୍କା
ଏସି ଗ୍ୟାଲେରୀ ବକ୍ସ ପାଇଁ ୬ ହଜାର ଟଙ୍କା
ନ୍ୟୁ ପାଭିଲିୟନ ପାଇଁ ୧୦ ହଜାର ଟଙ୍କା
କର୍ପୋରେଟ ବକ୍ସ ପାଇଁ ଟିକେଟ ମୂଲ୍ୟ ୨୦ହଜାର ଟଙ୍କା

ବାରବାଟୀ ଷ୍ଟାଡିୟମରେ ଦର୍ଶକ ବସିବା କ୍ଷମତା ମୋଟ ୪୫ ହଜାର ହୋଇଥିବା ବେଳେ ପାଖାପାଖି ୨୪ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ ହେବ । ସେଥିମଧ୍ୟରୁ ୪ ହଜାର ଅନଲାଇନରେ ବିକ୍ରି ହୋଇଛି । ଓସିଏ ସହିତ ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ୮ ହଜାର ଏବଂ କାଉଣ୍ଟର ପାଇଁ ୧୨ ହଜାର ଟିକେଟ ବିକ୍ରି ପାଇଁ ଆସିବ ।

 

ଆହୁରି ପଢନ୍ତୁ : ଇତିହାସ ରଚିଲା ଭାରତ ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍, ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ଜିତିଲା ଟି୨୦ ବିଶ୍ବକପ

You might also like