ଇଣ୍ଡିଆ-ଅଷ୍ଟ୍ରେଲିଆ ଶେଷ ଦିନିକିଆ: ଭାରତ ପାଇଁ କର ବା ମର ସ୍ଥିତି; ସିରିଜ୍ କବଜା କରିବା ଲକ୍ଷ୍ୟରେ ଦୁଇ ଦଳ
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଖେଳାଯିବ ତୃତୀୟ ଦିନିକିଆ । ସିରିଜ୍ କବଜା ପାଇଁ ଉଭୟ ଦଳରେ ମଧ୍ୟରେ ଚିତ୍ତାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ହେବ ଟକ୍କର ।ଆଜି ମ୍ୟାଚ୍ରେ ତିନି ଜଣ ଫାଷ୍ଟ ବୋଲରଙ୍କୁ ଖେଳାଇପାରେ । ସାର୍ଦ୍ଦୁଲ ଠାକୁର କିମ୍ବା ଉମ୍ରାନ୍ ମଲ୍ଲିକଙ୍କ ଭିତରୁ କାହାକୁ ଜଣଙ୍କୁ ସୁଯୋଗ ମିଳିପାରେ ।

ଆଜି ଭାରତ୍-ଅଷ୍ଟ୍ରେଲିଆ ଶେଷ ଦିନିକିଆ । ଚେନ୍ନାଇରେ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ । ଉଭୟ ଦଳ ପାଇଁ ନିର୍ଣ୍ଣାୟକ ଲଢ଼େଇ । କର ବା ମର ମୁକାବିଲା । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଆଜି ମ୍ୟାଚ୍ ଯିଏ ଜିତିବ ସିଏ ହାତେଇବ ଓ୍ଵାନ୍ ଡେ ସିରିଜ । ଦ୍ୱିତୀୟ ଦିନିକିଆରେ ଭାରତ ୧୦ ଓ୍ଵିକେଟରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ତେଣୁ ଆଜିର ମ୍ୟାଚରେ ଆକ୍ରମଣାତ୍ମକ ରଣନୀତି ସହ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ଉପରେ ସମସ୍ତଙ୍କର ନଜର ରହିଛି ।
ଗତ ମ୍ୟାଚରେ ୭ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର କରି ପାରି ନଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଦଳ ପାଇଁ ଚିନ୍ତାଜନକ । ଗତ ଦୁଇଟି ମ୍ୟାଚରେ ସେ ଖାତା ଖୋଲି ପାରି ନାହାନ୍ତି । ତେଣୁ ଆଜିର ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ ତାଉପରେ ନଜର ରହିଛି । ଆଜି ମ୍ୟାଚ୍ରେ ତିନି ଜଣ ଫାଷ୍ଟ ବୋଲରଙ୍କୁ ଖେଳାଇପାରେ । ସାର୍ଦ୍ଦୁଲ ଠାକୁର କିମ୍ବା ଉମ୍ରାନ୍ ମଲ୍ଲିକଙ୍କ ଭିତରୁ କାହାକୁ ଜଣଙ୍କୁ ସୁଯୋଗ ମିଳିପାରେ । ଉମ୍ରାନ୍ଙ୍କ ଖେଳିବା ସମ୍ଭାବନା ଅଧିକ । କାରଣ ତାଙ୍କ ପାଖରେ ଦ୍ରୁତ ବଲ୍ ଫିଙ୍ଗିବାର କ୍ଷମତା ରହିଛି । ଉମ୍ରାନ୍ କିମ୍ବା ସାର୍ଦ୍ଦୁଲ ଖେଳିଲେ ଅକ୍ଷର ପଟେଲ୍ଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇପାରେ । ସେହିପରି କୁଳଦୀପ ଯାଦବଙ୍କ ସ୍ଥାନରେ ଓ୍ଵାଶିଂଟନ୍ ସୁନ୍ଦରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । କାରଣ ଓ୍ଵାଶିଂଟନ୍ ସୁନ୍ଦର ବୋଲିଂ ସହ ବ୍ୟାଟିଂରେ କନ୍ ଯୋଡିବାରେ ସକ୍ଷମ ହେବେ । ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି କରିବ ଟିମ୍ ଇଣ୍ଡିଆ । ସେପଟେ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍ ଜିତିଥିବାରୁ ମନୋବଳ ଦୃଢ଼ ଅଛି । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବାକୁ କଙ୍ଗାରୁ ବାହିନୀ ବି ଦମ୍ ଲଗାଇ ଦେବ ।
ଚେନ୍ନାଇ ଚେପକ୍ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ୍ ଖେଳିଛନ୍ତି । ଭଭୟ ଦଳ ଜିତିଛନ୍ତି ଗୋଟିଏ ଲେଖାଏ ମ୍ୟାଚ୍ । ସେହିପରି ଚେପକ୍ରେ ଭାରତ ଏଯାଏ ୧୩ଟି ଓ୍ଵାନ୍ ଡେ ଖେଳିଛି । ଏଥିରୁ ୭ଟିରେ ବିଜୟୀ ହୋଇଥିବା ବେଳେ ହାରିଛି ୫ଟି ମ୍ୟାଚ୍ । ଏଠାରେ ଅଷ୍ଟ୍ରେଲିଆ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି ।