ଭାରତ- ଅଷ୍ଟ୍ରେଲିଆ ଗାବା ଟେଷ୍ଟ : ପ୍ରଥମ ଦିନରେ ବର୍ଷା ପରେ ଦ୍ବିତୀୟ ଦିନରେ ରନ ବର୍ଷା କଲା କଙ୍ଗାରୁ ଟିମ, ୪୦୫/୭

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବ୍ରିସବେନର ଗାବାରେ ଖେଳାଯାଉଛି । ଶନିବାର ବ୍ରିସବେନ ଟେଷ୍ଟରେ ବର୍ଷା ସାଜିଥିଲା ବାଧକ । ପ୍ରଥମ ଦିନରେ ବର୍ଷା ପରେ ଦ୍ବିତୀୟ ଦିନ ରନ ବର୍ଷା ହେଉଛି । ଦ୍ବିତୀୟ ଦିନରେ ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ୍ କରିଛି ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ତେଣୁ ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରୁଛି । ଟ୍ରାଭିସ ହେଡଙ୍କ ପରେ ଶତକ ମାରିଛନ୍ତି ଷ୍ଟିଭ୍ ସ୍ମିଥ୍ । ଟ୍ରାଭିସ ହେଡ୧୬୦ ବଲରୁ ୧୫୨ ରନ୍ କରିଥିବା ବେଳେ ସ୍ମିଥ୍ ୧୯୦ଟି ବଲ୍ରୁ ୧୦୧ ରନ୍ କରିଛନ୍ତି ।

ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚରେ ଗତକାଲି ପ୍ରଥମ ଦିନରେ ବର୍ଷା ଯୋଗୁ ମାତ୍ର ୧୩.୨ ଓଭରର ଖେଳ ହୋଇଥିଲା । ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନହରାଇ ୨୮ ରନ୍ କରିଥିଲା । ହେଲେ ଦଳ ଆଜି ୭୫ ରନରେ ତିନିଟି ୱିକେଟ୍ ହରାଇଥିଲା । ଉସମାନ ଖୱାଜା, ନାଥନ ମ୍ୟାକସ୍ୱିନୀ ଓ ମାର୍ନସ ଲାବୁଶେନ ଯଥାକ୍ରମେ ୨୧ (୫୪ ବଲ୍), ୯ (୪୯ ବଲ୍) ଓ ୧୨ (୫୫ ବଲ୍) ରନ୍ କରି ଆଉଟ୍ ହୋଇଯାଇଥିଲେ ।

ଏହା ପରେ ଷ୍ଟିଭ୍ ସ୍ମିଥ୍ ଓ ଟ୍ରାଭିସ ହେଡ୍ ସମ୍ଭାଳିଥିଲେ ପାଳି । ଚତୁର୍ଥ ୱିକେଟ୍ ପାଇଁ ସେମାନଙ୍କ ମଧ୍ୟରେ ୨୪୧ ରନର ପାର୍ଟନରଶିପ କରିଥିଲେ । ବୁମରା ଦୁଇ ଜଣଙ୍କୁ ଆଉଟ କରିବା ପରେ ମିଚେଲ ମାର୍ଶ ୫ ରନ କରି ଆଉଟ୍ ହୋଇଥିଲେ । ସେହିପରି ଆଲେକ୍ସ କ୍ୟାରି ୪୫ ରନ୍ କରି ଅପରାଜିତ ରହିଥିବା ବେଳେ ପାଟ୍ କେମିନ୍ସ ୨୦ ରନ୍ କରି ଆଉଟ୍ ହୋଇଛନ୍ତି । ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ୭ ୱିକେଟ ହରାଇ ୪୦୫ ରନ୍ କରିସାରିଛି ।

ଭାରତ ପକ୍ଷରୁ ବୁମରା ୫ଟି, ସିରାଜ ୧, ନୀତିଶ ରେଡ୍ଡୀ ୧ଟି ୱିକେଟ ନେଇଛନ୍ତି ।