ଦିନକ ପରେ ବର୍ଡର-ଗାଭାସ୍କର ଟ୍ରଫି: ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ ନୂଆ ଆରମ୍ଭ କରିବ ?
ଆଉ ଦିନକ ପରେ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି । ପର୍ଥରେ ଖେଳାଯିବ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତୀୟ ଦଳ । ବ୍ୟକ୍ତିଗତ କାରଣରୁ ଛୁଟିରେ ଅଛନ୍ତି ରୋହିତ । ତାଙ୍କ ସ୍ଥାନରେ କ୍ୟାପଟେନସି ସମ୍ଭାଳିବେ ଭାରତର ତାରକା ଦ୍ରୁତ ବୋଲର୍ ଯଶପ୍ରୀତ ବୁମରା ।
ସେହିଭଳି ପ୍ରାକ୍ଟିସ ବେଳେ ଆଙ୍ଗୁଠିରେ ଆଘାତ ଯୋଗୁଁ ୨ ସପ୍ତାହ ବିଶ୍ରାମରେ ଶୁବମନ ଗିଲ । ଆହତ ସମସ୍ୟାରୁ ମୁକୁଳି ଥିବା ସାମିଙ୍କୁ ଦ୍ବିତୀୟ ଟେଷ୍ଟରେ ଦେଖିବାକୁ ମିଳିପାରେ । ରୋହିତ ଶର୍ମାଙ୍କ ସ୍ଥାନରେ କେଏଲ ରାହୁଲ ଓପନିଂ କରିବେ । ତାଙ୍କୁ ସାଥ ଦେବେ ଯଶସ୍ବୀ ଜୟିସ୍ବାଲ । ଶୁବମନ ଗିଲଙ୍କ ସ୍ଥାନରେ ୱିକେଟ କିପର ବ୍ୟାଟର ଧ୍ରୁବ ଜୁରେଲ ଖେଳିବା ନେଇ ଚର୍ଚ୍ଚା ହେଉଛି । ମଧ୍ୟକ୍ରମରେ ଦଳର ତାରକା ବ୍ୟାଟର୍ ବିରାଟ୍ କୋହଲି, ସରଫରାଜ ଖାନ୍ ଓ ରିଷଭ ପନ୍ତଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଫର୍ମରେ ଥିବା ସର୍ଫରାଜଙ୍କ ସ୍ଥାନରେ ଖେଳିପାରନ୍ତି ଧ୍ରୁବ ଜୁରେଲ୍ ।
ସେହିଭଳି ନୀତିଶ ରେଡଡୀ ଓ ହର୍ଷିତ ରାଣାଙ୍କ ଭିତରୁ କେହି ଜଣେ ଖେଳିପାରନ୍ତି । ତେବେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ଚକମା ଦେବାକୁ ଝାଳ ବୁହାଇଛି ଟିମ୍ ଇଣ୍ଡିଆ । ୨୦୧୫ ଠୁ ବର୍ଡର ଗାଭାସ୍କର୍ ଟ୍ରଫି ଜିତି ନାହିଁ କଙ୍ଗାରୁ ଦଳ । ଏଥର ଟ୍ରଫି ଜିତି ଭାରତର ବିଜୟ ଧାରାକୁ ରୋକିବାକୁ ଚେଷ୍ଟା କରିବ । ଏପଟେ ଘରୋଇ ଦଳକୁ ୪ଟି ମ୍ୟାଚରେ ହରାଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଜାଗା କରିବାକୁ ଜି ଜାନ୍ ଲଗାଇବ ବୁମରା ଆଣ୍ଡ କୋ ।