କାଲିଠାରୁ ପର୍ଥ ଟେଷ୍ଟ : କଙ୍ଗାରୁକୁ ନିଜ ମାଟିରେ ମାତ୍ ଦେବାକୁ ବୁମରା ବାହିନୀର ସ୍ପେସାଲ ପ୍ଲାନ୍

ପର୍ଥ : ଆସନ୍ତାକାଲି ଅଷ୍ଟ୍ରେଲିଆର ପର୍ଥରେ ଆରମ୍ଭ ହେବା କଙ୍ଗାରୁ ସହ ବାଘର ଲଢ଼େଇ । ପାଞ୍ଚଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ଅନେକ ସମସ୍ୟା ରହିଛି । ଯେମିତିକି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ଅଧିନାୟକ ଭାର ସମ୍ଭାଳିବେ । ସେହିପରି କିଛି ଆହତ ଜନିତ ସମସ୍ୟା ଭାରତକୁ ନୂଆ ଖେଳାଳିଙ୍କୁ ଦଳରେ ନେବା ପାଇଁ ବାଧ୍ୟ କରିଛି ।

ସକାଳ ୭.୫୦ରୁ ଖେଳ ଆରମ୍ଭ

ଆସନ୍ତାକାଲି ଭାରତୀୟ ସମୟ ସକାଳ ୭.୫୦ ମିନିଟରେ ଖେଳ ଆରମ୍ଭ ହେବ । ତେବେ ଭାରତ ପାଇଁ ଗୋଟିଏ ଖୁସି ଖବର ହେଉଛି ପର୍ଥର ସୁପରଫାଷ୍ଟ ପିଚ୍ ପୂର୍ବ ଭଳି ଫାଷ୍ଟ ରହିବ ନାହିଁ । କ୍ୟୁରେଟରମାନେ ବହୁତ ପରିଶ୍ରମ କରିଥିଲେ ଫାଷ୍ଟ ପିଚ୍ କରିବା ପାଇଁ । ହେଲେ ଶେଷରେ କହିଛନ୍ତି କି ଏହା ପୂର୍ବ ଭଳି ହୋଇ ପାରିବ ନାହିଁ ।

ପିଚ୍ ଏତେ ଫାଷ୍ଟ ହେବ ନାହିଁ

ସୂଚନା ଥାଉ କି ଫାଷ୍ଟ ପିଚରେ ଭାରତୀୟ ବ୍ୟାଟରମାନେ ଭଲ ଭାବେ ଖେଳି ପାରନ୍ତି ନାହିଁ । ତେଣୁ ପର୍ଥ ପିଚରେ ଟିମ୍ ଇଣ୍ଡିଆକୁ ମାତ୍ ଦେଇ ବିଜୟ ଅଭିଯାନ ଆରମ୍ଭ କରିବାକୁ ଅଷ୍ଟ୍ରେଲିଆ ଦଳ ଆଶା ବାନ୍ଧିଛି । ମ୍ୟାଚର କିଛି ଦିନ ପୂର୍ବରୁ ପର୍ଥରେ ପ୍ରବଳ ବର୍ଷା ହୋଇଥିଲା । ତେଣୁ ପିଚ୍ ପ୍ରସ୍ତୁତ କରିବାରେ ସମସ୍ୟା ଦେଖା ଦେଇଥିଲା । ସେଥିଲାଗି ପାରମ୍ପରିକ ଭାବେ ପେସ୍ ବୋଲରଙ୍କୁ ସୁହାଉଥିବା ପର୍ଥ ପିଚରୁ ଏଥର ସେଭଳି ସଫଳତା ମିଳି ନପାରେ । ଯଦି ପିଚ୍ ଉପରେ ପାଞ୍ଚ ଦିନ ଯାକ ଘାସ ରହିବ ଏବଂ ବାଉନ୍ସ ମିଳିବ ତେବେ ଭାରତ ୪ ଜଣ ପେସ୍ ବୋଲରଙ୍କୁ ଖେଳାଇ ପାରେ । ଏମାନେ ହେଲେ ଅଧିନାୟକ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ହର୍ଷିତ ରାଣା ଏବଂ ନୀତିଶ ରେଡ୍ଡୀ ।

କେଉଁ ସ୍ପିନର ଖେଳିବେ ?

ଯଦି ଭାରତୀୟ ଦଳ ୪ ଜଣ ପେସ୍ ବୋଲରଙ୍କୁ ଖେଳାଏ ତେବେ ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା କିମ୍ବା ରବିଚନ୍ଦ୍ର ଅଶ୍ବୀନ ଖେଳିବେ । ଏବେ ଦେଖିବାର କଥା କି ଅଧିନାୟକ ବୁମରା ଓ କୋଚ୍ ଗୌତମ ଗମ୍ଭୀର ଏ ଦୁହିଙ୍କ ଭିତରୁ କାହାକୁ ବାଛୁଛନ୍ତି ।

ଅଷ୍ଟ୍ରେଲିଆର ରଣନୀତି

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ଘରୋଇ ମାଟିରେ ବର୍ଡ଼ର-ଗାଭାସ୍କର ଟ୍ରଫି ଶେଷଥର ପାଇଁ ୨୦୧୪-୧୫ରେ ଜିତିଥିଲା । ତେଣୁ ଏଥର ଟ୍ରଫି ହାତେଇବାକୁ ପୂରା ପ୍ରୟାସ କରିବ । ଦୁଇ ଦଳ ଏବେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ପ୍ରଥମ ଦୁଇଟି ସ୍ଥାନ ଅକ୍ତିୟାର କରିଛନ୍ତି । ତେଣୁ ପରସ୍ପରକୁ ମାତ୍ ଦେବା ଲାଗି ସ୍ବତନ୍ତ୍ର ରଣନୀତି ଗଢ଼ିବାରେ ଲାଗିଛନ୍ତି ।

TEAM INDIA-3

ବୁମରା ପ୍ରସ୍ତୁତ

ଏହା ପୂର୍ବରୁ ଭାରତୀୟ ଦଳ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ୩-୦ରେ ଟେଷ୍ଟ ସିରିଜ୍ ହାରିଥିଲା । ତେବେ ପୂର୍ବ କଥାକୁ ଭୁଲି ସେମାନେ ନୂଆ ଉତ୍ସାହର ସହ ପୂରା ଦମରେ ଅଷ୍ଟ୍ରେଲିଆର ମୁକାବିଲା କରିବେ ବୋଲି ଅଧିନାୟକ ବୁମରା କହିଛନ୍ତି ।

ଆଜି ବର୍ଷା ହୋଇ ପାରେ

ପର୍ଥରେ ବର୍ଷା ପରେ ଏବେ ପାଗ ଶୁଖିଲା ଅଛି । ତଥାପି ଆକାଶ ସମ୍ପୂର୍ଣ୍ଣ ପରିସ୍କାର ନାହିଁ । ଏଠାରେ ଟସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କୁହାଯାଉଛି । ଆକ୍ୟୁ ୱେଦରର ପୂର୍ବନୁମାନ ଅନୁସାରେ ଆଜି ଅପରାହ୍ନରେ ବର୍ଷା ହେବାର ମାତ୍ର ୨୦ ପ୍ରତିଶତ ସମ୍ଭାବନା ରହିଛି । ହେଲେ ରାତି ୧୧ଟା ବେଳେ ପ୍ରବଳ ବର୍ଷା ହୋଇ ପାରେ । ଯଦି ଏହା ସତ ହୁଏ ତେବେ କାଲି ସକାଳେ ପିଚ୍ ଓଦା ରହିଥିବ । ଆଉ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅସୁବିଧାରେ ପଡ଼ିବେ । ଶୁକ୍ରବାର ଅର୍ଥାତ କାଲି ବର୍ଷାର ସମ୍ଭାବନା ଖୁବ୍ କମ୍ ରହିଛି ।

TEAM INDIA-1

You might also like