ପ୍ରଥମ ଟେଷ୍ଟ କାଲି : ପେସ୍‌ ବନାମ ସ୍ପିନ୍‌

ଆସନ୍ତାକାଲି ଏଜବାଷ୍ଟନ୍‌ରେ ଭାରତ-ଇଂଲଣ୍ଡ ଲଢ଼େଇ । ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହେବେ ବିରାଟ ବାହିନୀ ଓ ଜୋଏ ରୁଟ୍‌ଙ୍କ ଦଳ । ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟ ପାଖାପାଖି ସମାନ ଥିବାରୁ ଏହି ପାଞ୍ଚ ଟେଷ୍ଟର ସିରିଜ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଇଂଲିଶ୍‌ ବୋଲର୍‌ ଭାରତର ଦୁର୍ବଳତା ସର୍ଟପିଚ୍‌ ବଲ୍‌ରୁ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି । ସେହିପରି ଭାରତର ପେସ୍‌ ବାହିନୀ ଶକ୍ତିଶାଳୀ ଥିବାରୁ ଘରୋଇ ଦଳର ବ୍ୟାଟ୍‌ସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରିବ ବୋଲି ଆସ୍ଥା ରଖିଛି । ଉପଅଧିନାୟକ ଆଜିଙ୍କ୍ୟ ରାହାଣେ କହିଛନ୍ତି, ଇଂଲଣ୍ଡ ପିଚ୍‌ରେ କିଭଳି ଭଲ ଭାବେ ଖେଳିବାକୁ ହେବ ସେକଥା ଆମେ ବୁଝି ସାରିଛୁ । ସେପଟେ ରୁଟ୍‌ କହିଛନ୍ତି ଆମେ କ୍ଲବ୍‌ କ୍ରିକେଟ୍‌ରେ ଖେଳିବା ବେଳେ ସ୍ପିନ୍‌ ଆଟାକ୍‌ ସହିତ ପରିଚିତ । ତେଣୁ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରି ପାରିବୁ । ତେବେ ଦୁଇ ସ୍ପିନର ଇଂଲଣ୍ଡର ଆଦିଲ ରସିଦ ଓ ଭାରତର କୁଲଦୀପ ଯାଦବ କିନ୍ତୁ ଏବେ ଖବରରେ ।

ତେବେ ଆଦିଲ କି ମୋଇନ୍‌ ଅଲି କିଏ ଇଂଳଣ୍ଡ ଦଳରେ ସ୍ଥାନ ପାୁଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ସେପଟେ ସାରା ସିରିଜ୍‌ରେ ଇଂଲଣ୍ଡ ପାଇଁ ସବୁଠୁ ବଡ଼ ବାଧା ହେବେ କୋହଲି । ଯଦିଓ ପୂର୍ବ ସିରିଜ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ଭଲ ଖେଳି ନଥିଲେ, ଏଥର କିନ୍ତୁ ଦମଦାର ବ୍ୟାଟିଂ କରିବେ ବୋଲି ଆଶା ରଖିଛି ଟିମ୍‌ ଇଣ୍ଡିଆ । ସେପଟେ ଇଂଲଣ୍ଡ ଅଧିନାୟକ ରୁଟ୍‌ ମଧ୍ୟ କୋହଲିଙ୍କ ଭଳି ଜଣେ ରନ୍‌ ଭୋକିଲା । ସେ ଯଦି କ୍ଲିକ୍‌ କରନ୍ତି ଦୁଇ ଅଧିନାୟକଙ୍କ ମଧ୍ୟରେ ବଢ଼ିଆ ଟକ୍କର ହେବ । ଉଭୟ ଦଳ ୩+୨ରେ ଖେଳିବା ସମ୍ଭାବନା ଅଧିକ । ଅର୍ଥାତ୍‌ ତିନି ଜଣ ପେସ୍‌ ବୋଲର୍‌ ଓ ଦୁଇ ଜଣ ସ୍ପିନର୍‌ । କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ଆମେ ଏଠାକୁ ମ୍ୟାଚ୍‌ ଡ୍ର ରଖିବାକୁ ନୁହେଁ, ଜିତିବାକୁ ଆସିଛୁ । ଯାହା ସ୍ପଷ୍ଟ ବାର୍ତ୍ତା ଦେଉଛି ଟିମ୍‌ ଇଣ୍ଡିଆ ଆଭିମୁଖ୍ୟର । ଏବେ ଦେଖିବାର କଥା ଏଜବାଷ୍ଟନରେ ଭାରତ ତାର ରେକର୍ଡ଼ରେ କେତେ ଉନ୍ନତି ଆଣୁଛି । କାରଣ ଏଠି ଖେଳିଥିବା ମୋଟ୍‌ ୬ଟି ଟେଷ୍ଟରୁ ଭାରତ ୫ଟିରେ ହାରିଛି ।

ଇଂଲଣ୍ଡର ହଜାରେତମ ଟେଷ୍ଟ
ଏଜବାଷ୍ଟନ୍‌ରେ ଇଂଲଣ୍ଡ ଖେଳିବ ୧୦୦୦ତମ ଟେଷ୍ଟ ମ୍ୟାଚ୍‌ । ଏକ ଐତିହାସିକ ମ୍ୟାଚ୍‌ । ତେବେ ସେହି ଅନୁପାତରେ ଏଠି ଦର୍ଶକ ମିଳିବେନି । ପ୍ରଥମ ଦିନ ମାତ୍ର ୧୫ ହଜାର ଲୋକଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳି ପାରେ । ଦ୍ୱିତୀୟ ଦିନ ୧୩ ହଜାର ଦର୍ଶକ ଟିକେଟ୍‌ କିଣିଛନ୍ତି । ଅବଶ୍ୟ ପରବର୍ତ୍ତୀ ଦିବସରେ ଟିକେ ଅଧିକ ଦର୍ଶକ ଷ୍ଟାଡିୟମ୍‌ରେ ବସିବେ । ତଥାପି ମ୍ୟାଚ୍‌ ଉପରେ ରହିବ ସମସ୍ତଙ୍କ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like