ଟିକିଏ ବି ଭୁଲ କଲେ ଟିମ୍‌ ଇଣ୍ଡିଆକୁ ଦବାଇ ଦେବ ଇଂଲଣ୍ଡ, କାଲି ଦ୍ୱିତୀୟ ସେମିଫାଇନାଲ୍‌କୁ ସମସ୍ତଙ୍କ ଅପେକ୍ଷା

ଆଡିଲେଡ୍‌ : କାଲି ନଭେମ୍ବର ୧୦ ତାରିଖ, ଗୁରୁବାର । ଆଇସିସି ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ । ଆଡିଲେଡ୍‌ ଓଭାଲ ଠାରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ୨୦୦୭ ପ୍ରଥମ ଟି୨୦ ବିଶ୍ୱ କପରେ ଚାମ୍ପିଅନ୍‌ ଟ୍ରଫି ଜିତିବା ପରେ ଟିମ୍‌ ଇଣ୍ଡିଆକୁ ଆଉ ଟ୍ରଫି ଜିତିବାର ସୌଭାଗ୍ୟ ଯୁଟିନି । ସେହିପରି ଶେଷଥର ଭାରତ ୨୦୧୩ ମସିହାରେ ଭାରତୀୟ ଦଳ ଆଇସିସି ଚାମ୍ପିଅନସ ଟ୍ରଫି ଜିତିଥିଲା । ତେଣୁ ଏଥର ଆଇସିସି ଟ୍ରଫି ଜିତିବା ପାଇଁ ଭଲ ସୁଯୋଗ ରହିଛି । ଏମିତି ଦେଖିବାକୁ ଗଲେ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଦେଲେ ଅନ୍ୟସବୁ ମ୍ୟାଚ୍‌ ଜିତି ଦଳ ନିଜକୁ ଅନ୍ୟତମ ଟାଇଟଲ୍‌ ଦାବିଦାର ଭାବେ ଦୌଡ଼ରେ ରହିଛି । ତେବେ ସେମିଫାଇନାଲ୍‌ ମ୍ୟାଚ୍‌ ଜିତିବା ଏବଂ ଫାଇନାଲକୁ ଯାଇ ପୁଣି ଜିତି ଚାମ୍ପିଅନ୍‌ ହେବା ପାଇଁ ଏହାକୁ ଆହୁରି ଦୁଇଗୁଣ ପରିଶ୍ରମ କରିବାକୁ ପଡ଼ିବ ।

ସୁପର-୧୨ର ଗ୍ରୁପ୍‌ ‘ବି’ରେ ଭାରତ ମୋଟ୍‌ ୮ ପଏଣ୍ଟ ହାସଲ କରି ଶୀର୍ଷରେ ରହିଥିଲା । କେବଳ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍‌ ହାରିଥିଲା । ତେବେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପ୍ରଥମ ମ୍ୟାଚ୍‌ରେ ହରାଇବା ପରେ ଭାରତୀୟ ଦଳର ମନୋବଳ ଅଧିକ ବଳଶାଳୀ ହୋଇଥିଲା । ଏହାପରେ ରୋହିତ ଶର୍ମାଙ୍କ ଦଳ ନେଦରଲାଣ୍ଡସ, ବାଂଲାଦେଶ ଓ ଜିମ୍ବାେଓ୍ଵକୁ ହରାଇଥିଲା । ଉଭୟ ବ୍ୟାଟ୍‌ ଓ ବଲ୍‌ରେ ବଢ଼ିଆ ପ୍ରଦର୍ଶନ କରିଛି ଦଳ । ୨୦୧୪ ଏବଂ ୨୦୧୬ରେ ଭାରତ ଆଇସିସି ଟି୨୦ ସେମିଫାଇନାଲରେ ପହଞ୍ଚିଥିଲା । ହେଲେ ଆଉ ଆଗକୁ ବଢ଼ି ପାରିନଥିଲା ।

ବ୍ୟାଟିଂରେ ଏବେ ଯୁବ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଭୟଙ୍କର ଫର୍ମରେ ଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ବଢ଼ିଆ ଫର୍ମରେ ଅଛନ୍ତି । ଯଦିଓ ତାଙ୍କର ଆହତ ଖବର ଏବେ ଦଳକୁ ଚିନ୍ତାରେ ନିଶ୍ଚୟ ପକାଇଥିବ । ତେବେ ଅର୍ଶଦୀପ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭଲ ଖେଳୁଛନ୍ତି । ତାଙ୍କ ଉପରେ ଭରସା ରହିଛି । କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୪୬ ରନ୍‌ କରିଥିବା ବେଳେ ସୂର୍ଯ୍ୟ କୁମାର ୨୨୫ ରନ୍‌ ସଂଗ୍ରହ କରିଛନ୍ତି । ଅବଶ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ବ୍ୟାଟିଂ ଚିନ୍ତାର କାରଣ ହୋଇଛି । ଅର୍ଶଦୀପ ୧୦ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ଗ୍ରୁପ୍‌ ‘ଏ’ରେ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ଦଳରେ ମୂଳରୁ ଶେଷ ଯାଏ ମ୍ୟାଚ୍‌ ଓ୍ଵିିନର ଖେଳାଳି ଅଛନ୍ତି । ସମସ୍ତେ ତ ବ୍ୟାଟିଂ ତ ବଢ଼ିଆ କରୁଛନ୍ତି ତା ସହିତ ସାମ କରାନଙ୍କ ବୋଲିଂ ବି ଦମଦାର ହେଉଛି । ଆଫଗାନିସ୍ତାନ ବିପକ୍ଷରେ କୁରାନ୍‌ ୩.୪ ଓଭର ବୋଲିଂ କରି ୧୦ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ ।

ତେଣୁ ଇଂଲଣ୍ଡ ବିପକ୍ଷରେ ଟିକିଏ ବି ଭୁଲ କଲେ ତାହା ବଡ଼ ତ୍ରୁଟି ହୋଇଯିବ ଭାରତ ପାଇଁ । ପୂରା ଦମ୍‌ରେ ମିଳିତ ଭାବେ ଖେଳିବାକୁ ହେବ । ନଚେତ ଫାଇନାଲ୍‌କୁ ଯିବା ଓ ଟାଇଟଲ୍‌ ଜିତିବାର ସ୍ୱପ୍ନ ସେମିତି ଅଧୁରା ରହିଯିବ । ଭାରତ ଓ ଇଂଲଣ୍ଡ ଏଯାଏ ମୋଟ ୨୨ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି । ସେଥିରୁ ଭାରତ ୧୨ଟି ଏବଂ ଇଂଲଣ୍ଡ ୧୦ଟି ମ୍ୟାଚ୍‌ ଜିତିଛି । ତେଣୁ ଦୁଇ ଦଳ ଭିତରେ ଜୟ ପରାଜୟର ବ୍ୟବଧାନ ବେଶି ନାହିଁ । ଅବଶ୍ୟ ସାମର୍ଥ୍ୟ ଓ ଶକ୍ତି ଦୃଷ୍ଟିରୁ ଇଂଲଣ୍ଡ ଠାରୁ ଆଗରେ ଅଛି ଟିମ୍‌ ଇଣ୍ଡିଆ । ତେବେ କିଏ ଜିତିବ ଓ ଫାଇନାଲକୁ ଯିବ ତାର ଫଇସଲା କାଲି ହେବ । ଭାରତୀୟ ସମୟ ଦିନ ଗୋଟାଏ ବେଳେ ଟସ୍‌ ପଡ଼ିବ ଏବଂ ସାଢ଼େ ଗୋଟାଏ ବେଳେ ଖେଳ ଆରମ୍ଭ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.