ମୋଟେରାରେ ଆଜି ବିନା ଦର୍ଶକରେ ହେବ ତୃତୀୟ ଟି-୨୦, ଉଭୟ ଭାରତ ଓ ଇଂଲଣ୍ଡ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ

ଅହମଦାବାଦ : ଆଜି ତୃତୀୟ ଟି-୨୦ ଟକ୍କର । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି ଟେ୍ଵଣ୍ଟି ସିରିଜର ଆଜି ତୃତୀୟ ମ୍ୟାଚ ସେହି ସମାନ ସ୍ଥାନରେ ଖେଳାଯିବ । ମୋଟେରା ଷ୍ଟାଡିୟମ୍‌ରେ ଦୁଇ ଦଳ ସିରିଜ୍‌ରେ ଆଗୁଆ ରହିବାକୁ ଲଢ଼େଇ କରିବେ । ଏହି ମ୍ୟାଚ ଜିତି ସିରିଜରେ ଅଗ୍ରଣୀ ନେବା ଲକ୍ଷ୍ୟରେ ଅଛନ୍ତି ଉଭୟ ଭାରତ ଓ ଇଂଲଣ୍ଡ । ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଥିଲା ଏବଂ ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିଥିଲେ । ତେଣୁ ଦଳର ଆତ୍ମବିଶ୍ୱାସ ବଢ଼ିଛି ।

ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳିବା ସମ୍ଭାବନା ଅଧିକ ରହିଛି । ଲୋକେଶ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରି ନଥିବାରୁ ତାଙ୍କ ସ୍ଥାନରେ ରୋହିତ ଖେଳି ପାରନ୍ତି । ଦଳରେ ଆଉ ସେପରି କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ । ବୋଲିଂ ବିଭାଗରେ ମଧ୍ୟ ସମସ୍ତ ବୋଲର ଭଲ ଖେଳିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ଫଳରେ ଭାରତ ଆଉ ଜଣେ ଅଧିକ ବ୍ୟାଟସମ୍ୟାନକୁ ନେଇ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ପ୍ରଥମ ମ୍ୟାଚରେ ଭାରତକୁ ଶୋଚନୀୟ ଭାବେ ହରାଇବା ପରେ ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ଫଳାଫଳ ଦୋହରାଇ ପାରିନଥିଲା ଇଂଲଣ୍ଡ ଦଳ । ତେଣୁ ଆଜିର ମ୍ୟାଚ୍‌ରେ କିଛି ନୂଆ ରଣନୀତି ନେଇ ଇଂଲଣ୍ଡ ଦଳ ପଡିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି । ମୋଇନ୍‌ ଅଲ୍ଲୀ ଆଜି ପ୍ଲେଇଂ ଇଲେଭେନରେ ରହିପାରନ୍ତି ।

MOTERA STADIUM

ବିନା ଦର୍ଶକରେ ହେବ ମ୍ୟାଚ୍‌

ତେବେ ଦର୍ଶକମାନେ ଷ୍ଟାଡିୟମ୍‌ରେ ବସି ମ୍ୟାଚ୍‌ ଦେଖି ପାରିବେ ନାହିଁ । କାରଣ ଗୁଜରାଟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଥିବାରୁ ଶେଷ ତିନିଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଗୁଜରାଟ କ୍ରିକେଟ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି । ଯେଉଁମାନେ ଟିକଟ କିଣିଛନ୍ତି, ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.