ଭାରତ ଓ ନ୍ୟୁଜିଲାଣ୍ଡ କାନପୁର ପ୍ରଥମ ଟେଷ୍ଟ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଟିମ୍‌ ଇଣ୍ଡିଆ

ଭାରତ ଓ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି କାନପୁରର ଗ୍ରୀନ ପାର୍କରେ ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ରାହାଣେଙ୍କ ଟିମ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପରାଜୟର ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଲାଇବ। ନ୍ୟୁଜିଲାଣ୍ଡ ଟିମକୁ ଆମେ ହାଲକା ଭାବେ ଗ୍ରହଣ କରିବୁ ନାହିଁ ବୋଲି ରାହାଣେ କହିଛନ୍ତି।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣ୍ଡେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ। ବିରାଟଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇଛି। ଖବର ଲେଖା ବେଳକୁ ଟିମ୍‌ ଇଣ୍ଡିଆ ୮ ଓଭରରେ ୨୧ ରନ୍‌ କରି ଗୋଟିଏ ଓ୍ଵିକେଟ ହରାଇଛି।

ଆଜିର ମ୍ୟାଚରେ ଶ୍ରେୟସ ଆୟର ଡେବ୍ୟୁ କରିଛନ୍ତି। ବିରାଟଙ୍କ ସ୍ଥାନରେ ଶ୍ରେୟସ ଆୟର ପ୍ରଥମେ କରିବେ। ପ୍ରଥମ ଟେଷ୍ଟରେ ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ଓ ରିଷଭ ପନ୍ତ ଖେଳିବେନି । ଫଳରେ ଆୟର ମଧ୍ୟଭାଗରେ ବ୍ୟାଟିଂ କରିବେ । ମୟଙ୍କ ଅଗ୍ରୱାଲ୍‌ ଓ ଶୁଭମନ ଗିଲ୍‌ ପାଳି ଆରମ୍ଭ କରିଛନ୍ତି। ଅତିରିକ୍ତ ବ୍ୟାଟ୍ସମ୍ୟାନ ଭାବେ ଅକ୍ଷର ପଟେଲଙ୍କୁ ଖେଳାଇ ସୂର୍ଯ୍ୟକୁମାରଙ୍କୁ ବାଦ ଦିଆଯାଇଛି।

ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଅନେକ ଷ୍ଟାର୍‌ ଖେଳାଳି ନାହାନ୍ତି । ଅଧିନାୟକ କେନ ୱିଲିୟମସନ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନାହାନ୍ତି । ତାଙ୍କ କହୁଣୀରେ ଯନ୍ତ୍ରଣା ରହିଛି । ଡେଭନ କନୱେ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡି ଗ୍ରାଣ୍ଡହୋମ୍‌ ଭଳି ଖେଳାଳି ସ୍ୱଦେଶ ଫେରିଯାଇଛନ୍ତି ।

ଗ୍ରୀନ ପାର୍କ ପିଚ୍‌ ସ୍ପିନରଙ୍କୁ ପୂର୍ବରୁ ସହାୟତା କରିଆସିଛି । ଶେଷ ଥର ପାଇଁ ୨୦୧୬ରେ ଭାରତ ଓ ନ୍ୟୁଜିଲାଣ୍ଡ ଏହି ଗ୍ରାଉଣ୍ଡରେ ଏକ ଟେଷ୍ଟ ଖେଳିଥିଲେ । ଅଶ୍ୱିନ ଓ ଜାଡେଜା ଏହି ଟେଷ୍ଟରେ ୧୬ଟି ୱିକେଟ୍‌ ନେଇଥିଲେ ।

ଭାରତ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ଶ୍ରେୟାସ ଆୟର, ରିଦ୍ଧିମାନ ଶାହା, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଈଶାନ୍ତ ଶର୍ମା, ଉମେଶ ଯାଦବ ।

ନ୍ୟୁଜିଲାଣ୍ଡ: ଟମ ଲାଥମ, ୱିଲ ୟଙ୍ଗ, କେନ ୱିଲିୟମସନ (ଅଧିନାୟକ), ରସ ଟେଲର, ହେନରୀ ନିକୋଲ୍ସ, ଟମ ବ୍ଲଣ୍ଡେଲ, ମିଚେଲ ସାଣ୍ଟନର/କେଲି ଜାମିସନ, ଟିମ୍‌ ସାଉଦି, ନିଲ ୱାଗନର, ୱିଲ ସମରଭିଲ, ଅଜାଜ ପଟେଲ ।

Leave A Reply

Your email address will not be published.