ପ୍ରଥମ ଟେଷ୍ଟ, ନ୍ୟୁଜିଲାଣ୍ଡର ଶେଷ ଯୋଡ଼ି ଭାରତକୁ ଜିତାଇ ଦେଲେ ନାହିଁ

କାନପୁର : ରବିଚନ୍ଦ୍ର ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ୍‌ରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଦୁର୍ଗ ଧ୍ୱଂସ ହୋଇଗଲା । ହେଲେ ମାତ୍ର ଗୋଟିଏ ଓ୍ଵିକେଟ୍‌ ଦୂରରେ ରହି ମ୍ୟାଚ୍‌ ଜିତି ପାରିଲାନି ଭାରତୀୟ ଦଳ । ଆଜି ଶେଷ ହୋଇଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟରେ ଘରୋଇ ଦଳ ନ୍ୟୁଜିଲାଣ୍ଡର ଶେଷ ଓ୍ଵିକେଟ୍‌ଟି ଦଖଲ କରି ପାରିଲା ନାହିଁ । ଫଳରେ ବିଜୟର ଦ୍ୱାରରେ ପହଞ୍ଚି ଏଥିରୁ ବଞ୍ଚିତ ହେଲା ।

ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳକୁ ୨୮୪ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ଟିମ୍‌ ଇଣ୍ଡିଆ । ଦ୍ୱିତୀୟ ପାଳି ଆରମ୍ଭ କରି ଗତକାଲି ଖେଳ ଶେଷ ସୁଦ୍ଧା ଓପ୍ନର ୟଙ୍ଗଙ୍କ ଓ୍ଵିକେଟ୍‌ ହରାଇ ନ୍ୟୁଜିଲାଣ୍ଡ କରିଥିଲା ୪ ରନ୍‌ । ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ଆରମ୍ଭରୁ ଲଢ଼େଇ କରିଥିଲେ ମଧ୍ୟ ଶେଷ ଭାଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରି ଦେଇଥିଲା କିଓ୍ଵି ଦଳ । ଓପ୍ନର ଟମ୍‌ ଲଥାମ୍‌ ସର୍ବାଧିକ ୫୬ ରନ୍‌ କରି ଦଳକୁ ୧୧୮ ରନ୍‌ ପର୍ଯ୍ୟନ୍ତ ଟାଣି ନେଇଥିଲେ । ତାଙ୍କ ସହାୟତା ଦେଇ ଓ୍ଵିଲିୟମ ସମରଭିଲ ୩୬ ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୨୪ ରନ୍‌ କରିଥିଲେ । ଏମାନେ ଭାରତୀୟ ସ୍ପିନରଙ୍କୁ ଠିକ୍‌ ଭାବେ ଖେଳି ପାରିନଥିଲେ । ତେବେ ଅନେକ ସମୟ ଧରି ଓ୍ଵିକେଟ୍‌ ଜଗି ରହିଥିଲେ । ସମରଭିଲ ୧୧୦ଟି ବଲ୍‌ ଖେଳିଥିବା ବେଳେ ଓ୍ଵିଲିମୟସନ୍‌ ୧୧୨ଟି ବଲ୍‌ର ସାମନା କରିଥିଲେ । ତେବେ ଏମାନେ ଆଉଟ୍‌ ହେବା ପରେ ଜାଡେଜା ଓ ଅଶ୍ୱିନ୍‌ ବାକି ବ୍ୟାଟରମାନଙ୍କୁ ଜଣକ ପରେ ଜଣେ ପାଭିଲିଅନ୍‌ ବିଦା କରି ଭାରତକୁ ବିଜୟର ଦ୍ୱାରରେ ପହଞ୍ଚାଇ ଦେଇଥିଲେ । ତେବେ ଭାଗ୍ୟ ବୋଧେ ଅନୁକୂଳ ନଥିଲା ।

ଅବଶ୍ୟ ନ୍ୟୁଜିଲାଣ୍ଡ ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା ମ୍ୟାଚ୍‌କୁ ଡ୍ର ରଖିବା ପାଇଁ । ଶେଷ ଯୋଡ଼ି ରଚିନ ରବୀନ୍ଦ୍ର ଏବଂ ଏଜାଜ ପଟେଲ ଦଳୀୟ ସ୍କୋରକୁ ୧୫୫ରୁ ନେଇ ୧୬୫ ରନ୍‌ରେ ପହଞ୍ଚାଇଥିଲେ । ହେଲେ ସେମାନେ ୫୨ଟି ବଲ୍‌ ଖେଳି ଶେଷ ପର୍ଯ୍ୟନ୍ତ ଓ୍ଵିକେଟ୍‌ରେ ଜମି ରହିଥିଲେ । ଆଉ ଭାରତକୁ ଏକ ନିଶ୍ଚିତ ବିଜୟରୁ ବଞ୍ଚିତ କରିଥିଲେ । ରବୀନ୍ଦ୍ର ୯୧ ବଲ୍‌ ଖେଳି ୧୮ ରନ୍‌ ଏବଂ ଏଜାଜ ୨୩ ବଲ୍‌ ଖେଳି ୨ ରନ୍‌ରେ ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଜାଡେଜା ୪ଟି ଏବଂ ଅଶ୍ୱିନ୍‌ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି । ଦୁଇ ଦଳ ମଧ୍ୟରେ ଆସନ୍ତା ଡିସେମ୍ବର ୩ ତାରିଖ ଠାରୁ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.