ସୁପରସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଆଜି ଚାମ୍ପିଅନ୍ସ ଟ୍ରଫିରେ ହାଇ ଭୋଲଟେଜ୍ ମ୍ୟାଚ

ଆଜି ଚାମ୍ପିଅନ୍ସ ଟ୍ରଫିରେ ହାଇ ଭୋଲଟେଜ୍ ମ୍ୟାଚ । ସୁପରସଣ୍ଡେରେ ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଆରମ୍ଭ ହେଲାଣି କାଉଣ୍ଟ ଡାଉନ । କିଏ ହାରିବ ଆଉ କିଏ ଜିତିବ, ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଆଜିର ମ୍ୟାଚ ପାକିସ୍ତାନ ପାଇଁ କର ବା ମର ସ୍ଥିତି । ଭାରତ ଠାରୁ ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦାହେବ ଆୟୋଜକ ପାକ ଟିମ ।

ଏପଟେ ପାକ ବିପକ୍ଷ ମ୍ୟାଚ ଜିତିଲେ ଭାରତର ସେମି ଅଭିଯାନ ସହଜ ହେବ । ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଦମଦାର ଫର୍ମରେ ଅଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଏପଟେ ପାକିସ୍ତାନ ଡଗଆଉଟରେ ଅନେକ ସମସ୍ୟା ରହିଛି। ଆହତ କାରଣରୁ ଦଳର ଓପନର ଫଖର ଜମାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବାବର ଆଜମ ଧିମା ଖେଳିବା ପାକିସ୍ତାନର ଚିନ୍ତା ବଢ଼ାଇଛି । ପାକିସ୍ତାନର ୩ ପ୍ରମୁଖ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି, ହ୍ୟାରିଶ ରୌଫ ଓ ନଶୀମ ଶାହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦିନିକିଆରେ ଉଭୟ ଦଳ ମଧ୍ୟରେ ୧୩୫ ମୁକାବିଲା ହୋଇଛି ।

ପାକ ୭୩ ଥର ଜିତିଥିବା ବେଳେ ୫୬ ଥର ବାଜି ମାରିଛି ମ୍ୟାନ ଇନ ବ୍ଲୁ । ଛଅ ମ୍ୟାଚର ରେଜଲ୍ଟ ଆସିନି । ଦିନିକିଆ ବିଶ୍ୱକପରେ ପାକିସ୍ତାନ ଏଯାଏ ଭାରତ ବିପକ୍ଷରେ କୌଣସି ମ୍ୟାଚ ଜିତି ପାରିନାହିଁ । ୮-୦ରେ ଆଗରେ ରହିଛି ଟିମ ଇଣ୍ଡିଆ । ଟି-୨୦ ବିଶ୍ୱକପରେ ପାକିସ୍ତାନ କେବଳ ଗୋଟିଏ ଥର ୨୦୨୨ରେ ଭାରତ ଠାରୁ ଜିତି ଛି। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଗଣତ କିଛି ଅଲଗା । ଚାମ୍ପିୟନ୍ସ ଟ୍ରଫିରେ ଭାରତ ତୁଳନାରେ ପାକିସ୍ତାନର ପଲ୍ଲା ଭାରୀ । ମେନ ଇନ ବ୍ଲୁ ହେଡ ଟୁ ହେଡ ମୁକାବିଲାରେ ୩-୨ରେ ଆଗରେ ଅଛି । ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

ଆହୁରି ପଢ଼ନ୍ତୁ : ପାକିସ୍ତାନ କଲା ବଡ଼ ଭୁଲ୍, ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ବଦଳରେ ବଜାଇଲା ଭାରତର ଜାତୀୟ ସଂଗୀତ : ଭିଡିଓ ଭାଇରଲ