ଅଭ୍ୟାସ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟରଙ୍କ ବଡ଼ ସ୍କୋର, ଗିଲଙ୍କ ଆଘାତ ନେଇ ଚର୍ଚ୍ଚା

INDA-SRILANKA XI MATCH : କଲମ୍ବୋରେ ଆଜି ଭାରତୀୟ କ୍ରିକେଟ୍ ଟିମ୍ ଓ ଶ୍ରୀଲଙ୍କା ବୋର୍ଡ଼ ଏକାଦଶ ମଧ୍ୟରେ ଆରମ୍ଭ ହୋଇଛି ଅଭ୍ୟାସ ମ୍ୟାଚ୍ । ତେବେ ଏହି ମ୍ୟାଚରେ ଘରୋଇ ଦଳ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ଖୁବ୍ ଧୋଇଥିବା ବେଳେ ଆଉ ଏକ ବଡ଼ ଝଟକା ଲାଗିଛି ଟିମକୁ । ଅଧିନାୟକ ଶୁବମନ ଗିଲ୍ ମ୍ୟାଚର ପ୍ରଥମ ଦିନରୁ ଆହତ ହୋଇଛନ୍ତି ।

ଅବଶ୍ୟ ଅଧିନାୟକ ଶୁବମାନ ଗିଲ୍ ମ୍ୟାଚ୍ ବେଳେ ନୁହେଁ ଟିମର ଅଭ୍ୟାସ ସମୟରେ ଆହତ ହୋଇଛନ୍ତି । ସେ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ ଗୁରନୁର ବ୍ରାରଙ୍କ ବୋଲିଂରେ ଆହତ ହୋଇଥିଲେ । ତାଙ୍କ ବୁଢ଼ା ଆଙ୍ଗୁଠିରେ ଖୁବ୍ ଜୋରରେ ବଲ୍ ବାଜିଥିଲା । ତେବେ ସେ ଫିଜିଓଙ୍କ ଦେଖାଇ ଚିକିତ୍ସା କରିବା ପରେ ପୁଣି ବ୍ୟାଟିଂ ଜାରି ରଖିଥିଲେ । ତେଣୁ ତାଙ୍କର ଆଘାତ ଗୁରୁତର ନୁହେଁ ବୋଲି ଆଶା କରାଯାଉଛି । କାରଣ ସେ ଆଜି ମ୍ୟାଚରେ ଖେଳୁଛନ୍ତି ।

ଆଜି ଆରମ୍ଭ ହୋଇଥିବା ତିନି ଦିନିଆ ମ୍ୟାଚରେ ଶ୍ରୀଲଙ୍କା ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଓପ୍ନର ନିଶାନ୍ ମଦୁସ୍କା ଓ ରବିନ୍ଦୁ ରସନ୍ଥା ପ୍ରଥମ ୱିକେଟରେ ୧୧୦ ରନ୍ ଯୋଡ଼ିଛନ୍ତି । ମଦୁସ୍କା ମାତ୍ର ୬୫ ବଲରେ ୬୬ ରନ୍ କରି ଆଉଟ୍ ହୋଇଥିବା ବେଳେ ରବିନ୍ଦୁ ୭୧ ଏବଂ ପସିନ୍ଦୁ ୩୫ ରନ୍ କରି ଆଉଟ୍ ହୋଇଛନ୍ତି । ୫୨ ଓଭର ସୁଦ୍ଧା ଶ୍ରୀଲଙ୍କା ବୋର୍ଡ଼ ଏକାଦଶ ୩ ୱିକେଟରେ ୨୧୦ ରନ୍ କରିଥିଲା ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ ତାରିଖ ଭାରତର ସ୍ବାଧୀନତା ଦିବସରେ ଆରମ୍ଭ ହେବ । ଏହି ସିରିଜ୍ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ । ଭାରତୀୟ ଦଳ ସବୁ ମ୍ୟାଚ୍ ଜିତିବା ଜରୁରୀ । କାରଣ ଟେଷ୍ଟ ଚାମ୍ପିଅନସିପ ତାଲିକାରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି ।