୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ଲେଖିଲା ଚିଠି
ଭାରତ ସରକାର ଲଗାତାର ଖେଳକୁ ନେଇ ଫୋକସ କରୁଛନ୍ତି । ଭାରତ ସରକାର ଅଲିମ୍ପିକ୍ସ ୨୦୩୬ ଆୟୋଜନ କରିପାରେ ବୋଲି ଖବର ମିଳିଛି । ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ୨୦୩୬ ଆୟୋଜନ କରିବା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (IOA) ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଏକ ଚିଠି ଲେଖିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି ।
ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ମଧ୍ୟ ରହିଛନ୍ତି । ଅଲିମ୍ପିକ୍ସ ଆୟୋଜନ ଅଧିକାର ବଣ୍ଟନ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଦ୍ୱାରା ଏକ ବିସ୍ତୃତ ହୋଷ୍ଟ ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ୨୦୩୬ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇଥିବା ଆଥଲେଟମାନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ, ପ୍ୟାରିସ୍ ଖେଳାଯାଇଥିଲା ୨୦୨୪ ଅଲିମ୍ପିକ୍ସ । ଏହାପରେ ୨୦୨୮ ମସିହାରେ ପରବର୍ତ୍ତୀ ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଆଞ୍ଜେଲସ୍ରେ ଖେଳାଯିବ । ଏହାପରେ ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଖେଳାଯିବ । ଭାରତ ପାଖରେ ଏବେ ୩ଟି ମଲ୍ଟି ସ୍ପୋର୍ଟସ ଖେଳ ଆୟୋଜନ କରିବାର ଅଭିଜ୍ଞତା ରହିଛି । ଭାରତ ଶେଷ ଥର ପାଇଁ ୨୦୧୦ରେ କମନୱେଲ୍ଥ୍ ଗେମ୍ସ ଆୟୋଜନ କରିଥିଲା । ଏହାପୂର୍ବରୁ ୧୯୮୨ ଏବଂ ୧୯୫୧ ମସିହାରେ ଭାରତ ମଧ୍ୟ ଏସିଆନ୍ ଗେମ୍ସ ଆୟୋଜନ କରିଥିଲା ।