ଆଜି ପୁରୁଷ ହକି ସେମି ଫାଇନାଲ ଟକ୍କର । ରାତି ୧୦ଟା ୩୦ ମିନିଟରେ ଜର୍ମାନୀକୁ ଭେଟିବ ଭାରତ । କ୍ବାର୍ଟରରେ ସୁଟ୍ ଆଉଟରେ ବ୍ରିଟେନକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ଟିମ୍ । ଚଳିତ ଅଲିମ୍ପିକ୍ସ ହକିରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ହରାଇ ମ୍ୟାଚ ଜିତିଥିଲା ଭାରତ । ଆର୍ଜେଣ୍ଟିନା ବିରୋଧ ମ୍ୟାଚ ୧-୧ରେ ଡ୍ର ରହିଥିଲା । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚକୁ ୨-୦ରେ ଜିତିଥିଲା ଭାରତ ।
ତେବେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବେଲଜିୟମ ଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ, ଅଲିମ୍ପିକ୍ସରେ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇଥିଲା ଭାରତ। କ୍ବାର୍ଟର ଫାଇନାଲରେ ଶକ୍ତିଶାଳୀ ବ୍ରିଟେନକୁ ହରାଇ ସେମିରେ ପ୍ରବେଶ କରିଛି । ମେଡଲଠାରୁ ଆଉ ଗୋଟିଏ ବିଜୟ ଦୂରରେ ଭାରତ । ଲଗାତାର ଦ୍ବିତୀୟ ଥର ଭାରତୀୟ ପୁରୁଷ ଟିମ ଅଲିମ୍ପିକ୍ସ ସେମି ଫାଇନାଲରେ ପ୍ରବେଶ କରିଛି । ଟୋକିଓ ୨୦୨୦ରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ଏଥର ମଧ୍ୟ ହକିରୁ ପଦକ ଆଶା ରହିଛି । ଅଲମ୍ପିକ୍ସ ଇତିହାସରେ ଭାରତ ୮ଟି ସ୍ବଣ୍ଣ ଜିତିଛି ।
ଏବେ ନବମ ଗୋଲ୍ଡ ମେଡାଲ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ୧୯୮୦ରେ ଶେଷ ଥର ସ୍ବର୍ଣ୍ଣ ଜିତିଥିଲା ଟିମ୍ ଇଣ୍ଡିଆ । ୨୦୦୮ରେ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା। ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଟୋକିଓରେ ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ୫-୪ ଗୋଲରେ ହରାଇଥିଲା ଭାରତ । ଯଦି ରେକର୍ଡ ଉପରେ ନଜର ପକାଇବା, ତେବେ ଉଭୟ ଦେଶ ମଧ୍ୟରେ ୧୮ ମ୍ୟାଚ୍ ଖେଳାଯାଇଛି । ଭାରତ ୮ଟି ଏବଂ ଜର୍ମାନୀ ୬ଟି ମୁକାବିଲା ଜିତିଛି । ଏପରିକି ଶେଷ ୬ ମ୍ୟାଚରେ ୫ଟିରେ ଜର୍ମାନୀକୁ ହରାଇଛି ଭାରତ । ତେଣୁ ଜର୍ମାନୀ ବିପକ୍ଷ ସେମିଫାଇନାଲରେ ଭାରତର ପଲା ଭାରୀ ରହିଛି । ୱାର୍ଲଡ ରାଙ୍କିଂରେ ଭାରତର ୫ ନମ୍ବରରେ ଥିବା ବେଳେ ଜର୍ମାନୀ ୱାର୍ଲଡ ଚାମ୍ପିଅନ୍ ରହିଛି ।