ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ପାକିସ୍ତାନ ଯିବନି କି ପାକିସ୍ତାନ ଭାରତ ଆସିବ ନାହିଁ, ୨୦୨୭ ପର୍ଯ୍ୟନ୍ତ ଏଭଳି ରହିବ
ଭାରତ କ୍ରିକେଟ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ କି ପାକିସ୍ତାନ ଦଳ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଆସିବ ନାହିଁ । ଏସିଆ କପ୍, ମହିଳା ବିଶ୍ବକପ ହେଉ କିମ୍ବା କୌଣସି ଆଇସିସି ଇଭେଣ୍ଟ, ୨୦୨୭ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ପରସ୍ପର ସହିତ ଖେଳିବେ ନାହିଁ ।
ଭାରତ ଆସନ୍ତା ବର୍ଷ ମହିଳା ବିଶ୍ୱକପ୍ ଏବଂ ପୁରୁଷ ଏସିଆ କପ୍ ଆୟୋଜନ କରିବାକୁ ଯାଉଛି । ଏହାବ୍ୟତୀତ ଭାରତ ଓ ଶ୍ରୀଲଙ୍କା ମଧ୍ୟ ୨୦୨୬ ଟି-୨୦ ବିଶ୍ୱକପ୍ ଏକାଠି ଆୟୋଜନ କରିବାକୁ ଯାଉଛନ୍ତି । ଏହି ସବୁ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଦଳ ଭାରତରେ ନିଜର ମ୍ୟାଚ୍ ଖେଳିବ ନାହିଁ ।
ଆଇସିସିର ନୂଆ ଅଧ୍ୟକ୍ଷ ଜୟ ଶାହ ଓ ପାକିସ୍ତାନ ସମେତ ବୋର୍ଡ ଅଫ ଡିରେକ୍ଟର୍ସ ମିଟିଂରେ ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି । ତେବେ ଆଇସିସି ନେଇଥିବା ଏପରି ନିଷ୍ପତ୍ତି ୨୦୨୭ ଯାଏ କାର୍ଯ୍ୟକାରୀ ହେବ । ଏହି ସମୟସୀମା ମଧ୍ୟରେ ପାକିସ୍ତାନ କିମ୍ବା ଭାରତ କୌଣସି ଆଇସିସି ଇଭେଣ୍ଟର ଆୟୋଜନ କରନ୍ତି, ତା’ହେଲେ ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ ।
ଜୟ ଶାହା ଦୁବାଇ ସ୍ଥିତ ଆଇସିସି ମୁଖ୍ୟାଳୟକୁ ପ୍ରଥମ ଥର ପାଇଁ ଗସ୍ତ କରିଥିଲେ, ଯେଉଁଠାରେ ସେ ଷ୍ଟାଫ୍ ସଦସ୍ୟ, ବୋର୍ଡ ଅଫ୍ ଡାଇରେକ୍ଟର ଏବଂ ମିଡିଆ ରାଇଟ୍ସ ପାର୍ଟନରଙ୍କୁ ଭେଟିଥିଲେ । ପ୍ରଥମ ଦିନକୁ ସ୍ମରଣୀୟ କରିଥିବାରୁ ସେ କର୍ମଚାରୀ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।