ବାରବାଟୀରେ ବଡ଼ ବିଜୟ, ଫ୍ୟାନ୍‌ଙ୍କୁ ଟିମ୍‌ ଇଣ୍ଡିଆର ନୂଆ ବର୍ଷ ଭେଟି, ଇଣ୍ଡିଜ୍‌ ବିପକ୍ଷରେ ଦମ୍‌ଦାର ବିଜୟ ସହ ଦିନିକିଆ ସିରିଜ୍‌ କବଜା କଲା ବିରାଟ ବାହିନୀ

କଟକ (କେ ନ୍ୟୁଜ୍‌) : ବାରବାଟୀରେ ସୁପର ସୋ । ଷ୍ଟାଡିୟମ୍‌ ଭରପୂର ଦର୍ଶକଙ୍କ ସମର୍ଥନ ଓ ଉତ୍ସାହର ଉଚିତ ମୂଲ୍ୟ ଦେଇଛି ବିରାଟ ବାହିନୀ । ଷ୍ଟାଡିୟମ୍‌ରେ ହେଲା ପଇସା ଅସୁଲ ମ୍ୟାଚ୍‌ । କଡ଼ା ଟକ୍କର ଭିତରେ ସରିଲା ମ୍ୟାଚ୍‌ । ନିର୍ଣ୍ଣାୟକ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତି ନେଇଛି ଟିମ୍‌ ଇଣ୍ଡିଆ । ପୂରା ତାଳମେଳରେ ଖେଳିଲେ ଦୁଇ ଓପ୍ନର । ଦୋହରାଇଲେ ବିଶାଖାପାଟଣାରେ ଖେଳିଥିବା ଖେଳ । ମାତ୍ର ୧୬ ଓଭର୍‌ ଭିତରେ ଶତକୀୟ ଭାଗିଦାରୀ କଲେ ଏବଂ ଭାରତ ପାଇଁ ବଢ଼ିଆର ମୂଳଦୁଆଟିଏ ତିଆରି କଲେ । ୩୧୬ ରନ୍‌ର ବିଜୟଲକ୍ଷ୍ୟ ନେଇ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୪୮.୪ ଓଭର୍‌ରେ ୬ ଓ୍ଵିକେଟ୍‌ ହରାଇ ତୃତୀୟ ତଥା ଶେଷ ମ୍ୟାଚ୍‌ ସହ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ସିରିଜ୍‌ କବଜା କରିଛି । ତେବେ ମଧ୍ୟଭାଗରେ ଲଗାତର ଓ୍ଵିକେଟ୍‌ ପଡ଼ିଯିବା ଏବଂ ଶେଷ ଭାଗରେ ବିରାଟ କୋହଲି ଆଉଟ୍‌ ହୋଇଯିବା ପରେ ଦର୍ଶକଙ୍କ ଭିତରେ ଦେଖା ଦେଇଥିଲା ପରାଜୟର ଆଶଙ୍କା । ହେଲେ ଏହି ଆଶଙ୍କାକୁ ଏଡ଼ାଇ ରବୀନ୍ଦ୍ର ଜାଡେଜା ଖେଳିଲେ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ । ଶାର୍ଦ୍ଦୁଲ ଠାକୁରଙ୍କ ସହ ମିଶି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ । ଟି-୨୦ ପରେ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭାରତ ୨-୧ରେ ଜିତିଛି ।

team

ପୁଣି ଶତକୀୟ ଭାଗିଦାରୀ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୩୧୫ ରନ୍‌ କରିଥିଲା । ହେଲେ ପ୍ରଥମରୁ ସତର୍କତାର ସହ ଖେଳି ରୋହିତ ଶର୍ମା ଓ କେ.ଏଲ୍‌ ରାହୁଲ ପ୍ରଥମ ଓ୍ଵିକେଟ୍‌ରେ ଭ୍ରମଣକାରୀ ଦଳର ବୋଲରଙ୍କ ସବୁ ଗେମ୍‌ ପ୍ଲାନ୍‌କୁ ଫେଲ୍‌ କରି ଦେଲେ । ଓପନିଂ ଯୋଡ଼ିରେ ୨୨ ଓଭର୍‌ ମଧ୍ୟରେ ୧୨୨ ରନ୍‌ ଯୋଡ଼ି ପୁଣି ଥରେ ପ୍ରମାଣିତ କରିଥିଲେ ଯେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଲାଇନ୍‌ଅପ୍‌ ହେଉଛି ସବୁଠାରୁ ଶକ୍ତିଶାଳୀ ।

ROHIT AND RAHUL

ରୋହିତଙ୍କ ବିଶ୍ୱ ରେକର୍ଡ଼

ରୋହିତ ତାଙ୍କର ୫୩ତମ ଅର୍ଦ୍ଧଶତକ କରିଥିଲେ ଏବଂ ୬୩ ବଲ୍‌ରେ ୬୩ ରନ୍‌ (୮ ଚୌକା, ୧ ଛକା) ସଂଗ୍ରହ କରି ହୋଲଡରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଏହି ଇନିଂସ୍‌ ବେଳେ ସେ ଚଳିତ ବର୍ଷ କ୍ୟାଲେଣ୍ଡର ଇୟରରେ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଛନ୍ତି । ଏହା ସହ ଶ୍ରୀଲଙ୍କାର ସନତ୍‌ ଜୟସୂରିୟାଙ୍କ ୨୨ ବର୍ଷର ପୁରୁଣା ରେକର୍ଡ଼ ଭାଙ୍ଗିଛନ୍ତି । କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ରନ୍‌କୁ ମିଶାଇ ସେ ଏହି ସଫଳତା ଲାଭ କରିଛନ୍ତି । ୧୯୯୭ରେ ଜୟସୂରିୟା ୨୩୮୭ ରନ୍‌ ସ୍କୋର କରିଥିଲେ । ରୋହିତ ଆଜି ୯ ରନ୍‌ କରିବା ପରେ ଏହି ରେକର୍ଡ଼କୁ ଟପି ଯାଇଥିଲେ ।
୨୦୧୯ ଯେମିତି ରୋହିତ ଶର୍ମାଙ୍କ ବର୍ଷ ଥିଲା । ଜବରଦସ୍ତ ଫର୍ମରେ ଥିବା ଏହି ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ ଇଂଲଣ୍ଡ ବିଶ୍ୱକପ୍‌ରେ ୫ଟି ଶତକ କରିଥିଲେ, ଟେଷ୍ଟ କ୍ରିକେଟ୍‌ରେ ଦ୍ୱିଶତକ ସାଙ୍ଗକୁ ଟି-୨୦ରେ ସର୍ବାଧିକ ସ୍କୋର କରିବାରେ ବିରାଟ କୋହଲିଙ୍କ ସହିତ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି ।

ରାହୁଲଙ୍କ ପକ୍କା ବ୍ୟାଟିଂ

ଓ୍ଵିକେଟ୍‌ରେ ଜମି ରହିବାର କଳା ବୋଧହୁଏ କେ.ଏଲ୍‌ ରାହୁଲଙ୍କ ଠାରୁ ଆଉ କେହି ଅଧିକ ଜାଣନ୍ତି ନାହିଁ । ସେ ରୋହିତଙ୍କ ସହ ପୂରା ସାଥ୍‌ ଦେଇ ପ୍ରଥମେ ଅର୍ଦ୍ଧଶତକ ହାସଲ କଲେ ଏବଂ ୮୯ ବଲ୍‌ରେ ୭୭ ରନ୍‌ କରି ଯୋଶେଫଙ୍କ ବଲ୍‌ରେ ଓ୍ଵିକେଟ୍‌ କିପରଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ । ତେବେ ମଜାର କଥା ହେଉଛି ସେ ଠିକ୍‌ ରୋହିତଙ୍କ ଭଳି ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । କୋହଲିଙ୍କ ସହ ଦ୍ୱିତୀୟ ଓ୍ଵିକେଟ୍‌ରେ ୪୫ ରନ୍‌ ଯୋଡ଼ିଥିଲେ । ପୂର୍ବ ମ୍ୟାଚ୍‌ରେ ଶତକ କରିଥିଲେ ଏଇ ଖେଳାଳି ।

କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌

ରୋହିତ ଆଉଟ୍‌ ହେବା ପରେ ପଡ଼ିଆକୁ ଆସିଥିବା ଅଧିନାୟକ ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରିଥିଲେ । ତାଙ୍କ ଆଗରେ ପ୍ରଥମେ ରାହୁଲ ଓ ପରେ ଶ୍ରେୟସ ଆୟର (୭), ଋଷଭ ପନ୍ତ (୭), କେଦାର ଯାଦବ (୯) ଆଉଟ୍‌ ହେଲେ । ସେତେବେଳେ କୋହଲି ହିଁ ଏକମାତ୍ର ଭରସା ଥିଲେ । ୨୨୮ ରନ୍‌ରେ ୫ଟି ଓ୍ଵିକେଟ୍‌ ପଡ଼ିଯିବା ପରେ ସେ ରବୀନ୍ଦ୍ର ଜାଡେଜାଙ୍କୁ ସାଥୀ କରି ଅଧିନାୟକ ଇନିଂସ୍‌ ଖେଳିଥିଲେ । ଏମାନେ ଷଷ୍ଠ ଓ୍ଵିକେଟ୍‌ରେ ୫୦ ରନ୍‌ ଯୋଡ଼ିବା ପରେ କୋହଲି ୮୧ ବଲ୍‌ରୁ ୮୫ ରନ୍‌ କରି ପଲ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲଡ୍‌ ହୋଇଯାଇଥିଲେ । କୋହଲି ୫୧ ବଲ୍‌ରୁ ୫ଟି ଚୌକା ସହାୟତାରେ ଅର୍ଦ୍ଧଶତକ ହାସଲ କରିଥିଲେ । ୨୪୨ତମ ମ୍ୟାଚ୍‌ରେ ଏହା ଥିଲା ତାଙ୍କର ୫୫ତମ ଦିନିକିଆ ଅର୍ଦ୍ଧଶତକ । ଖେଳାଳିମାନଙ୍କ ଅଯଥା ଆଉଟ୍‌ ହେବା ଢଙ୍ଗରେ ରାଗି ଯାଇଥିଲେ କୋହଲି । ଏମିତିକି ନିଜ ଖେଳରେ ମଧ୍ୟ ସନ୍ତୁଷ୍ଟ ନଥିବା ଜଣାପଡୁଥିଲେ ।

ଜାଡେଜାଙ୍କ ଯାଦୁ

JADU

୪୭ତମ ଓଭର୍‌ର ପ୍ରଥମ ବଲ୍‌ରେ କୋହଲି ଆଉଟ୍‌ ହେବା ପରେ ଜିତିବାକୁ ଆଉ ୩୦ ରନ୍‌ ଦରକାର ଥିଲା । କ୍ରିଜ୍‌ରେ ଥିଲେ ରବୀନ୍ଦ୍ର ଜାଡେଜା । ଏହି ଅଲରାଉଣ୍ଡର ପୂରା ଟେନ୍‌ସନ୍‌ ଭିତରେ ଶାର୍ଦ୍ଦୁଲଙ୍କୁ ସାଥୀ କରି ଦଳକି ଜିତାଇ ଦେଇଥିଲେ । ଜାଡେଜା ୩୧ ବଲ୍‌ରେ ୩୯ ଏବଂ ଶାର୍ଦ୍ଦୁଲ ମାତ୍ର ୬ଟି ବଲ୍‌ରୁ ୧୭ ରନ୍‌ (୨ ଚୌକା ଓ ୧ ଛକା) କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ବିରାଟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌, ରୋହିତ ଶର୍ମା ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି ।

ସ୍କୋର : ଇଣ୍ଡିଜ୍‌-୩୧୫/୫ । ଭାରତ-୩୧୬/୬ (୪୮.୪ ଓଭର) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.