ପର୍ଥ : ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆର ବୃହତ ବିଜୟ । ପର୍ଥ ଟେଷ୍ଟରେ ୨୯୫ ରନରେ ଜିତିଲା ବୁମରା ବାହିନୀ । ଅଷ୍ଟେଳିଆ ଦଳ ଦ୍ବିତୀୟ ପାଳିରେ ୨୩୮ ରନ୍ କରିବାକୁ ସମର୍ଥ ହୋଇଛି ।
ଗତକାଲି ମାତ୍ର ୧୨ ରନରେ ୩ଟି ୱିକେଟ୍ ହରାଇ ପରାଜୟକୁ ଅପେକ୍ଷା କରିଥିଲା ଘରୋଇ ଦଳ । ଆଜି ମଧ୍ୟ ସ୍କୋର ୧୭ ରନରେ ପହଞ୍ଚିବା ପରେ ଚତୁର୍ଥ ୱିକେଟ୍ ହରାଇଥିଲା ‘ତେବେ ଟ୍ରାଭିସ ହେଡ୍ ୧୦୧ ବଲରୁ ୮୯ ରନ୍ ଏବଂ ମିଚେଲ ମାର୍ଶ ୬୭ ବଲରୁ ୪୭ ରନ୍ ଏବଂ ଆଲେକ୍ସ କ୍ୟାରି ୩୬ ରନ୍ କରି ଭାରତର ବିଜୟକୁ ବିଳମ୍ବିତ କରିଥିଲେ ।
ଏହି ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୫୩୪ ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତୀୟ ଦଳ। ତେବେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍ ଅଷ୍ଟ୍ରେଲିଆ । ପ୍ରଥମ ପାଳିରେ ଭାରତ ୧୫୦ ରନ୍ କରିବା ପରେ ଅଷ୍ଟ୍ରେଲିଆକୁ ୧୦୪ ରନରେ ଅଲଆଉଟ୍ କରି ଦେଇଥିଲା । ପରେ ଭାରତ ଯଶସ୍ବୀ ଜୟସ୍ବାଲ ଏବଂ ବିରାଟ କୋହଲିଙ୍କ ଶତକ ବଳରେ ଦ୍ବିତୀୟ ଇନିଂସରେ ୬ ୱିକେଟ ହରାଇ ୪୮୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା ।
ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ବୁମରା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ, ୱାଶିଂଟନ୍ ସୁନ୍ଦର ୨ ଏବଂ ହର୍ଷିତ ରାଣା ଓ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ଯାହାଫଳରେ ଘରୋଇ ଟିମ୍ ମାତ୍ର ୨୩୮ ରନ୍ କାରି ପାରିଥିଲା ।
ପର୍ଥରେ ଭାରତର ଦ୍ବିତୀୟ ବିଜୟ
ପୂର୍ବରୁ ଭାରତୀୟ ଦଳ ପର୍ଥରେ ୪ଟି ଟେଷ୍ଟ ଖେଳି ୨୦୦୮ରେ ଏକମାତ୍ର ବିଜୟ ହାସଲ କରିଥିଲା । ସେଥର ପେସ୍ ବୋଲର ଇରାଫାନ୍ ପଠାନ୍ ଷ୍ଟାର୍ ବନିଥିଲେ । ସେ ୫ ୱିକେଟ୍ ନେବା ସହ ୭୪ ରନ୍ ବି ସ୍କୋର କରିଥିଲେ । ସେଥର ଭାରତ ୭୨ ରନରେ ବିଜୟୀ ହୋଇଥିଲା । ତେବେ ୧୯୭୭, ୧୯୯୨ ଏବଂ ୨୦୧୨ରେ ପର୍ଥରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା ।
ସ୍କୋର : ଭାରତ-୧୫୦ ଓ ୪୮୭/୬ ପାଳି ଘୋଷଣା । ଅଷ୍ଟ୍ରେଲିଆ-୧୦୪ ଓ ୨୩୮ ।