ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ : ସଚିନ୍ ଘଣ୍ଟି ବଜାଇଲେ ଖେଳ ଆରମ୍ଭ ହେଲା

ମୁମ୍ବାଇ : ଆଜି ଚତୁର୍ଥ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଋଷଭ ପନ୍ତଙ୍କ ସ୍ଥାନରେ କେଦାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଜାଗାରେ ରବୀନ୍ଦ୍ର ଜାଡେଜାଙ୍କୁ ନିଆଯାଇଛି । ଖରାପ ବ୍ୟାଟିଂ ଜାରି ରହିଥିଲେ ମଧ୍ୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦଳରେ ରହିଛନ୍ତି ।

ଅନ୍ୟପକ୍ଷରେ ପ୍ରଥମେ ବୋଲିଂ ପାଇଥିବାରୁ ସେ ଖୁସି ବୋଲି କହିଛନ୍ତି ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଜେସନ୍ ହୋଲଡର । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି । ଏଠାରେ ଆଜି ଖେଳ ଆରମ୍ଭ ହେବା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପଡ଼ିଆ ଭିତରେ ଥିବା ଘଣ୍ଟି ବଜାଇାଲେ । ସେ ଘଣ୍ଟି ବଜାଇବା ପରେ ଖେଳ ଆରମ୍ଭ ହୋଇଥିଲା ।

ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ ସ୍ଥିତିରେ ରହିଛନ୍ତି । ଦ୍ବିତୀୟ ମ୍ୟାଚ୍ ‘ଟାଇ’ରେ ଶେଷ ହୋଇଥିଲା ।