ବଜାୟ ରହିଲା ବିଜୟଧାରା, ପ୍ରଥମ ଦିନିକିଆରେ ଭାରତ ୮ ଓ୍ଵିକେଟ୍ରେ ବିଜୟୀ

ନାପିଏର୍ : ଅଷ୍ଟ୍ରେଲିଆରୁ ବିଜୟଧାରା ବଜାୟ ରଖି ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଅତି ସହଜରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଆଜି ମାକଲିନ୍ ପାର୍କରେ ଖେଳା ଯାଇଥିବା ମ୍ୟାଚ୍ରେ ଘରୋଇ ଦଳକୁ ୮ ଓ୍ଵିକେଟ୍ରେ ପରାସ୍ତ କରି ୫ ମ୍ୟାଚ୍ ସିରିଜ୍ରେ ୧-୦ରେ ଆଗୁଆ ରହିଛି ବିରାଟ ବ୍ରିଗେଡ୍ ।
ଆଜି ଟସ୍ ଜିତି ନ୍ୟୁଜିଲାଣ୍ଡ ନିଜ ପରିଚିତ ପଡ଼ିଆରେ ପ୍ରଥମେ ବ୍ୟାଟିଂ ନେଇଥିଲା । ହେଲେ ଭାରତୀୟ ପେସ୍ ବୋଲର୍ ମହମ୍ମଦ ସାମି, ସ୍ପିନର ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ନିଜ ଭିତରେ ୯ଟି ଓ୍ଵିକେଟ୍ ବାଣ୍ଟି ନେଇ ମାତ୍ର ୩୮ ଓଭରରେ ନ୍ୟୁଜିଲାଣ୍ଡକୁ ୧୫୭ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲେ ।
ପରେ ଓପ୍ନର ଶିଖର ଧବନଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୪୫ ରନ୍ ବଳରେ ଖୁବ୍ ସହଜରେ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା ଭାରତୀୟ ଦଳ । ଧବନଙ୍କର ଏହା ହେଉଛି ୨୬ତମ ଅର୍ଦ୍ଧଶତକ (୧୦୩ ବଲ୍ରେ ୭୫ ରନ୍, ୬ ଚୌକା) । ଏହି ଇନିଂସ୍ ବେଳେ ସେ ଦିନିକିଆରେ ୫ ହଜାର ରନ୍ ପୂରଣ କରିଛନ୍ତି ।
ଖେଳ ମଝିରେ ଅସ୍ତ ସୂର୍ଯ୍ୟଙ୍କ କିରଣ ବ୍ୟାଟ୍ସମ୍ୟାନଙ୍କ ମୁହଁରେ ପଡ଼ିବାରୁ କିଛି ସମୟ ଖେଳକୁ ସ୍ଥଗିତ କରଖା ଯାଇଥିଲା । ଏଥିଲାଗି ମ୍ୟାଚ୍କୁ ୫୦ରୁ ୪୯ ଓଭରକୁ କମାଇ ଦିଆଯାଇଥିଲା । ଏଥିରେ ଭାରତ ପାଇଁ ଟାର୍ଗେଟ୍ ରହିଥିଲା ୧୫୬ ରନ୍ । ଯାହାକୁ ମାତ୍ର ୨ଟି ଓ୍ଵିକେଟ୍ ବିନିମୟରେ ଦଳ ୩୪.୫ ଓଭରରେ ହାସଲ କରି ନେଇଥିଲା । ଆଜି ଦିନିକିଆରେ ୧୦୦ ଓ୍ଵିକେଟ୍ ପୂରଣ କରିଥିବା ମହମ୍ମଦ ସାମି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି ।
ସ୍କୋର : ନ୍ୟୁଜିଲାଣ୍ଡ-୧୫୭, ୩୮ ଓଭର (ଓ୍ଵଲିୟମସନ୍ ୬୪, ରଜ୍ ଟେଲର୍ ୨୪, ଲଥାମ୍ ୧୧, ନିକୋଲ୍ସ ୧୨, କାଣ୍ଟନର୍ ୧୪ । ସାମି ୬-୨-୧୯-୩, ଚହଲ ୧୦-୦-୪୩-୨, କୁଲଦୀପ ଯାଦବ ୧୦-୧-୩୯-୪, କେଦାର ଯାଦବ ୩-୦-୧୭-୧) ।
ଭାରତ : ୧୫୭/୨, ୩୪.୫ ଓଭର । (ରୋହିତ ଶର୍ମା ୧୧, ଶିଖର ଧବନ ଅପରାଜିତ ୭୫ , ବିରାଟ କୋହଲି ୪୫, ଅମ୍ବାତି ରାୟୁଡୁ ଅପରାଜିତ ୧୩ ) ।