ଆଡିଲେଡ୍ରେ ଇତିହାସ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୧ ରନ୍ରେ ମାତ୍ ଦେଲା ଭାରତ

ଆଡିଲେଡ୍ : ୧୫ ବର୍ଷରେ ପ୍ରଥମ । ଆଡିଲେଡ୍ ଓଭାଲ୍ରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ପ୍ରଥମଥର ହରାଇଛି ଭାରତ । ଚଳିତ ସିରିଜ୍ର ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଲଞ୍ଚ୍ ପରେ ପରେ ଅଷ୍ଟ୍ରେଲିଆକୁ ୩୧ ରନ୍ରେ ହରାଇଛି ବିରାଟ ବାହିନୀ । ଏହା ସହିତ ବର୍ଡ଼ର-ଗାଭାସ୍କର ଟ୍ରଫି ସିରିଜ୍ରେ ୧-୦ରେ ଅଗ୍ରଣୀ ନେଇଛି । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ମ୍ୟାଚ୍ ଜିତଛି । ଶେଷଥର ୨୦୦୮ରେ ପର୍ଥରେ ଅନୀଲ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ଜିତଥିଲା । ସେହିଭଳି ଆଡିଲେଡ୍ରେ ଶେଷ ଥର ୨୦୦୩ରେ ସୌରଭ ଗାଙ୍ଗୁଲିଖ୍ଵ ନେତୃତ୍ୱରେ ଟେଷ୍ଟ ବିଜୟୀ ହୋଇଥିଲା । ଏଠାରେ ମୋଟ୍ ୧୨ଟି ଟେଷ୍ଟ ଖେଳିଥିବା ବେଳେ ଭାରତର ଏହା ହେଉଛି ଦ୍ୱିତୀୟ ବିଜୟ । ଏହା ସହିତ ଦୁଇ ଦେଶ ଭିତରେ ୭୧ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ସିରିଜ୍ର ପ୍ରଥମ ଟେଷ୍ଟ ଜିତିଛି ।
ଭଲ ଲଢ଼େଇ କଲା ଅଷ୍ଟ୍ରେଲିଆ
ଆଡିଲେଡ୍ ପିଚ୍ରେ ୩୨୩ ରନ୍ର କଷ୍ଟକର ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଦଳ ଗତକାଲି ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା କରିଥିଲା ୪ ଓ୍ଵିକେଟ୍ରେ ୧୦୪ ରନ୍ । ଆହୁରି ୨୧୯ ରନ୍ ଦରକାର ଥିଲା ଶେଷ ଦିନରେ । ଆଉ ଭାରତ ଚାହୁଁଥିଲା କଙ୍ଗାରୁ ଦଳର ବାକି ୬ଟି ଓ୍ଵିକେଟ୍ । ଲଢ଼େଇ ଖୁବ୍ ଜୋରଦାର ହୋଇଥିଲା । ସବୁ ବ୍ୟାଟ୍ସମ୍ୟାନ୍ ଭାରତକୁ ପ୍ରତିହତ କରିବା ଲାଗି ପୂରା ଦମ୍ରେ ଚେଷ୍ଟା କରିଥିଲେ । ସମସ୍ତଙ୍କର ଅଳ୍ପ ବହୁତ ଯୋଗଦାନ ରହିଥିଲା । ହେଲେ ଶେଷରେ ଅଷ୍ଟ୍ରେଲିଆ ଦଳ ୨୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ସନ୍ ମାର୍ଶ ୬୦, ଅଧିନାୟକ ଟିମ୍ ପାଇନ୍ ୪୧, ପ୍ୟାଟ୍ କମିନ୍ସ ୨୮, ମିଚେଲ ଷ୍ଟାର୍କ ୨୮ ଏବଂ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିବା ନାଥନ୍ ଲାୟନ୍ ଅପରାଜିତ ୩୮ ରନ୍ କରିଥିଲେ । ଏମିତିକି ଶେଷ ବ୍ୟାଟ୍ସମ୍ୟାନ୍ ଯୋଶ୍ ହାଜେଲଉଡ୍ ୪୩ ବଲ୍ ଖେଳି ୧୩ ରନ୍ କରିଥିଲେ ମଧ୍ୟ ଅନ୍ତିମ ଭାଗିଦାରୀରେ ଲାୟନ୍ଙ୍କ ସହିତ ୩୨ ରନ୍ ଯୋଡ଼ିଥିଲେ । ଯାହା ଦଳର ଲଢୁଆ ମନୋବୃତ୍ତିକୁ ଦର୍ଶାଇଥିଲା ।
ଜିତିବାର ଇଚ୍ଛା ଓ ଟିମ୍ ଓ୍ଵାର୍କ
ତେବେ ଜିତିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମଧ୍ୟ ଯେମିତି ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ଅଧିନାୟକ କୋହଲି ଏବଂ ବୋଲର୍ମାନେ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଚାପ ପକାଇ ଓ୍ଵିକେଟ୍ ଖସାଇବାର ସବୁ କୌଶଳ ଲଗାଇ ଦେଇଥିଲେ । ଆଉ ଶେଷରେ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ ହାଜେଲଉଡ୍ଙ୍କୁ ଲୋକେଶ ରାହୁଲ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରି ଭାରତକୁ ଐତିହାସିକ ବିଜୟ ଆଣି ଦେଇଥିଲେ ।
ବୋଲର୍ ଓ ଓ୍ଵିକେଟ୍ କିପର୍ ଜିନ୍ଦାବାଦ୍
ଅଶ୍ୱିନ୍, ବୁମରା ଓ ସାମି ୩ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ । ଏହି ମ୍ୟାଚ୍ରେ ଅଶ୍ୱିନ୍ ମୋଟ୍ ୬ଟି ଓ୍ଵିକେଟ୍ ନେିଛନ୍ତି । ଯାହା ଅଷ୍ଟ୍ରେଲିଆ ମାଟିରେ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ତେବେ ବୋଲରଙ୍କ ସହ ଓ୍ଵିକେଟ୍ ପଛରେ ଯୁବ ଖେଳାଳି ୠଷଭ ପନ୍ତଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଦମ୍ଦାର ଥିଲା । ସେ ପ୍ରଥମ ଇନିଂସ୍ରେ ୬ଟି ଏବଂ ଦ୍ୱିତୀୟ ଇନିଂସ୍ରେ ୫ଟି ଏହିପରି ମୋଟ୍ ୧୧ଟି ସଫଳତା ପାଇଛନ୍ତି । ଯାହା ଅଷ୍ଟ୍ରେଲିଆରେ ଭାରତୀୟ ଓ୍ଵିକେଟ୍ ରକ୍ଷକଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏଭଳି ସଫଳତା ପାଇବାରେ ସେ ବିଶ୍ୱ ସ୍ତରରେ ଇଂଲଣ୍ଡର ଜ୍ୟାକ୍ ରସେଲ ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ସମକକ୍ଷ ହୋଇଛନ୍ତି ।
ପ୍ରଥମ ଇନିଂସ୍ରେ ଅତି ଧୈର୍ଯ୍ୟର ସହ ଖେଳି ଚମତ୍କାର ଶତକ ହାସଲ କରିଥିବା ଚେତେଶ୍ୱର ପୂଜାରା ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଭାରତ ପାଇଁ ପ୍ରଥମ
ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ସିରିଜ୍ରେ ପ୍ରଥମ ମ୍ୟାଚ୍ ଜିତିବା ଭାରତ ପାଇଁ ପ୍ରଥମ ଘଟଣା । ପୂର୍ବରୁ ବିଦେଶ ମାଟିରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, େଓ୍ଵଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ଜିତିବାର ରେକର୍ଡ଼ କରିଛି । ପ୍ରଥମ ଟେଷ୍ଟ ଜିତିବା ପରେ ଭାରତୀୟ ଦଳ ୫ ଥର ସିରିଜ୍ ଜିତିବାରେ ସଫଳ ହୋଇଥିବା ବେଳେ ଥରେ ହାରିଛି ଓ ଥରେ ଡ୍ର ରଖିଛି ।
କୋହଲିଙ୍କ ଦୁଇ ଦୁଇଟି ରେକର୍ଡ଼
ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି । ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଓ ରାହୁଲ ଦ୍ରାବିଡ଼ କେବଳ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଦଳକୁ ମ୍ୟାଚ୍ ଜିତାଇଥିଲେ । ବିଦେଶ ମାଟିରେ ଅଧିନାୟକ ଭାବେ କୋହଲି ୮ଟି ଟେଷ୍ଟରେ ଟସ୍ ଜିତିବାର ରେକର୍ନ କରିଛନ୍ତି । ସେଥିରୁ ଭାରତ ୭ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମାତ୍ର ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଡ୍ର ରଖିଥିଲା । କୋହଲିଆଙ୍କ ଆଗକୁ ଅଛନ୍ତି ଅଷ୍ଟ୍ରେଲିଆର ମହାନ୍ ଖେଳାଳି ଡନ୍ ବ୍ରାଡ୍ମ୍ୟାନ୍ । ଯିଏକି ୧୦ଟି ଟେଷ୍ଟରେ ଟସ୍ ଜିତିଥିବା ବେଳେ ୯ଟିରେ ଦଳ ବିଜୟୀ ହୋଇଛି ଓ ଗୋଟିଏ ଡ୍ର ରହିଛି ।
ଅଧିନାୟକ କଣ କହିଲେ
ବିରାଟ କୋହଲି : ମୁଁ ମୋ ବୋଲରଙ୍କ ପାଇଁ ଅତ୍ୟନ୍ତ ଗର୍ବିତ । ସେମାନେ ମ୍ୟାଚ୍ରେ ଅଷ୍ଟ୍ରେଲିଆର ୨୦ଟି ଯାକ ଓ୍ଵିକେଟ୍ ଦଖଲ କଲେ । ଯାହା ଆମେ ଆଗରୁ କେବେ କରି ପାରୁନଥିଲୁ ।
ଟିମ୍ ପାଇନ୍ : ଭାରତ ବହୁତ ଭଲ ଖେଳିଲା । ସେ ବିଜୟର ଦାବିଦାର ଥିଲା । ହେଲେମୋ ସମେତ ଆମ ମଧ୍ୟଭାଗ ଓ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଭଲ ଖେଳିଲୁ ନାହିଁ । ଆମ ଶେଷ ଭାଗ ବ୍ୟାଟ୍ସମ୍ୟାନ୍ଙ୍କ ଲଢୁଆ ଖେଳ ମୋତେ ପ୍ରଭାବିତ କରିଛି ।
ସ୍କୋର : ଭାରତ-୨୫୦ ଓ ୩୦୭ । ଆଷ୍ଟ୍ରେଲିଆ-୨୩୫ ଓ ୨୯୧ ।
#WATCH live from Adelaide: Indian skipper Virat Kohli addresses press conference after India beat Australia. https://t.co/LrjWAoPbUg
— ANI (@ANI) December 10, 2018