ଭାରତୀୟ ପାରା ଆଥଲେଟ୍ମାନେ ପ୍ୟାରିସ ପାରାଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ଏପର୍ଯ୍ୟନ୍ତ କୌଣସି ପାରାଅଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଭାରତ ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୩ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ଜିତି ପଦକ ସଂଖ୍ୟା ୨୦ରେ ପହଞ୍ଚିଛି । ଟୋକିଓ ପାରାଅଲିମ୍ପିକ୍ସର ପଦକ ସଂଖ୍ୟା ପାର କରିଛି ପ୍ୟାରିସ ପାରାଅଲିମ୍ପିକ୍ସ ।
ଷଷ୍ଠ ଦିନରେ ଜାଭଲିନ୍, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ୨ଟି ରୌପ୍ୟ ଓ ୩ ବ୍ରୋଞ୍ଜ ସହ ୫ ପଦକ ହାତେଇଛି ଭାରତ । ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଥିଲେ । ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ ।
ଏହାପରେ ପୁରୁଷ ହାଇ ଜମ୍ପରେ ଶରଦ କୁପର ରୌପ୍ୟ ପଦକ ହାସଲ କରିଥିଲେ । ସେ ୧.୮୮ ମିଟର ଡେଇଁ ରେକର୍ଡ ସୃଷ୍ଟି କରିଥିଲେ । ସେହିପରି ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ସେପଟେ ଜାଭଲିନ୍ରେ ଦୁଇଟି ପଦକ ମିଳିଥିଲା । ଅଜିତ ସିଂହଙ୍କୁ ରୌପ୍ୟ ଓ ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଟୋକିଓ ପାରାଅଲିମ୍ପିକ୍ସ ୨୦୨୦ରେ ଭାରତ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ପଦକ ପାଇଥିଲା । ମୋଟ ୧୯ଟି ପଦକ ସହିତ ଭାରତ ଭଲ ପ୍ରଦର୍ଶନ କରିଥିଲା । ପାରା ଆଥଲେଟ ମୁରଲୀକାନ୍ତ ପେଟକର ପାରାଅଲିମ୍ପିକ ଗେମ୍ସରେ ୧୯୭୨ରେ ଭାରତକୁ ପ୍ରଥମ ପଦକ ଦେଇଥିଲେ । ମୁରଲୀକାନ୍ତଙ୍କ ଜୀବନୀକୁ ନେଇ ‘ଚନ୍ଦୁ ଚାମ୍ପିଅନ’ ନାମକ ଫିଲ୍ମ ଆସିଥିଲା ।