ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭ ରନରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ରୋହିତ-ବିରାଟଙ୍କ ଧୂଆଁଧାର ବ୍ୟାଟିଂ ସହ ବିଶାଳ ସ୍କୋର ସତ୍ତ୍ୱେ ଭାରତ ମାତ୍ର ୧୭ ରନରେ ବିଜୟପ୍ରାପ୍ତ କରିଛି । ଭାରତ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୩୫୦ ରନ ଟାର୍ଗେଟ ଦେଇଥିବାବେଳେ ଦକ୍ଷିଣ ଆଫ୍ରିକା ସମସ୍ତ ୱେକେଟ ହରାଇ ୩୩୨ ରନରେ ସନ୍ତୋଷ ରହିବାକୁ ପଡିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ସମସ୍ତ ୫୦ ଓଭର ଖେଳି ୯ ୱେକେଟ ବିନିମୟରେ ୩୪୯ ରନ କରିଥିଲା ।

ହେଲେ ଖେଳ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ସ୍ଥିତି ନିରାଶାଜନକ ଥିଲା । ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭରୁ ଶୂନ ରେ ଦୁଇଟି ୱେକେଟ ହରାଇଥିବାବେଳେ ମାତ୍ର ୧୧ ରନରେ ୩ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଏହା ସତ୍ତ୍ବେ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରି ଗୋଟିଏ ସମୟରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା ଦକ୍ଷିଣ ଆଫ୍ରିକା ।

ଦଳ ପକ୍ଷରୁ ମାଥ୍ୟୁ ବ୍ରିଜକେ ୭୨ ରନ କରିଥିବାବେଳେ ମାର୍କୋ ଜାନସେନ ୭୦ ରନ କରି ଦଳକୁ ବିଜୟ ସ୍ଥିତି ଆଡକୁ ଆଗେଇ ନେଇଥିଲେ । ହେଲେ ଉଭୟ ଖେଳାଳି ଛକା ମାରୁଥିବା ବେଳେ କୁଲଦୀପ ଯାଦବଙ୍କ ବଲରେ କ୍ୟାଚ ଆଉଟ ହୋଇଯାଇଥିଲେ । ଟୋନି ଡି ଜୋର୍ଜି ୩୯ ରନ ଓ ଡେଓ୍ବାଲଡ୍ ବ୍ରେଭିସ ୩୭ ରନ କରିଥିଲେ । ତେବେ ୮ ନମ୍ବର ସ୍ଥାନରେ ଆସିଥିବା କୋର୍ବିନ ବୋସ୍ ୬୭ ରନ କରିବା ସହ ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରିଥିଲେ ।

ଗୋଟେ ସମୟରେ ଦକ୍ଷିଣ ଆଫ୍ରିକାର ବିଜୟ ସ୍ଥିତି ନିକଟତର ହେଉଥିବା ବେଳେ ଶେଷ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ଓ୍ବିକେଟ ନେଇ ଭାରତକୁ ବିଜୟୀ କରାଇଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ୍ବିକେଟ ନେଇଥିଲେ ।