ପୁଣି ବିଗିଡିଲା ବିନୋଦ କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ଭର୍ତ୍ତି
ଭାରତୀୟ ଟିମର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା । ତାଙ୍କୁ ତୁରନ୍ତ ଥାନେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଟିମ୍ ତାଙ୍କ ଦେଖାଶୁଣା କରୁଛନ୍ତି । କିଛିଦିନ ହେଲାଣି ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା ।
ବିନେଦା କାମ୍ବଲିଙ୍କ ହାର୍ଟ ରୋଗ ସହିତ ଅନେକ ପ୍ରକାରର ସମସ୍ୟା ରହିଛି । ତାଙ୍କ ସ୍ବାସ୍ଥ୍ୟ ପୂର୍ବରୁ ଖରାପ ରହିଛି । ଏବେ ପୁଣିଥରେ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି । ଡାକ୍ତର ତାଙ୍କୁ ଦେଖାଶୁଣା କରୁଛନ୍ତି । ଯଦି ସବୁକିଛି ଠିକ୍ ରହେ, ତେବେ ଖୁବଶୀଘ୍ର ଡିସଚାର୍ଜ କରାଯିବ ।
ନିକଟରେ ବିନୋଦ କାମ୍ବଲି ରମାକାନ୍ତ ଆଚରେକର ମେମୋରିଆଲର ଉଦ୍ଘାଟନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର ମଧ୍ୟ ପହଞ୍ଚିଥିଲେ । ସଚିନ ଏବଂ କାମ୍ବଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଲାଗିଥିଲା । କାମ୍ବଲି ସଚିନଙ୍କୁ ନିଜ ପାଖରେ ବସାଇବାକୁ ଚାହୁଁଥିଲେ, କିନ୍ତୁ ସଚିନ ତାଙ୍କ ପାଖରେ କିଛି ସମୟ ରହିବା ପରେ ଅନ୍ୟ ସ୍ଥାନରେ ବସିବାକୁ ଚାଲିଯାଇଥିଲେ ।
ସୂଚନାଯୋଗ୍ୟ, ବିନୋଦ କାମ୍ବଲି ଗତବର୍ଷରୁ ବିଭିନ୍ନ ପ୍ରକାର ରୋଗରେ ପୀଡିତ ରହିଛନ୍ତି । କିଛି ବର୍ଷ ପୂର୍ବେ ହାର୍ଟ ଆଟାକ ଆସିଥିଲା । ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ତାଙ୍କୁ ହସପିଟାଲରେ ନେଇ ଜୀବନ ବଞ୍ଚାଇଥିଲେ । ତେବେ କାମ୍ବଲିଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ । ତେଣୁ ନିକଟରେ ସଚିନ ତେନ୍ଦୁଲକର ତାଙ୍କୁ ଏକ ଏକାଡେମୀର କୋଚ ଭାବେ ନିଯୁକ୍ତ କରିଥିଲେ । ମୁମ୍ବାଇ ଟି୨୦ ଲିଗର ମଧ୍ୟ କୋଚ ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଖରାପ ଯୋଗୁଁ କୋଚ୍ ପଦ ଛାଡିଥିଲେ ।
କାମ୍ବଲି ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି । ବିନୋଦ କାମ୍ବଲି ୧୯୯୧ରୁ ୨୦୦୦ ମଧ୍ୟରେ ୧୭ଟି ଟେଷ୍ଟ ଏବଂ ୧୦୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୩,୫୬୧ ରନ୍ କରିଛନ୍ତି । ଦିନିକିଆ କ୍ରିକେଟରେ ୨ ଶତକ ଏବଂ ୧୪ ଅର୍ଦ୍ଧଶତକ କରିଥିବା ବେଳେ ୨୪୭୭ ରନ୍ କରିଛନ୍ତି । ବିନୋଦ କାମ୍ବଲି ଟେଷ୍ଟ କ୍ରିକେଟରେ ୪ଟି ଶତକ ୧୦୮୪ ରନ କରିଛନ୍ତି । ଏଥିରେ ଦୁଇଟି ଦ୍ୱିଶତକ ରହିଛି ।