ଭାରତୀୟ ଫୁଟବଲ କ୍ୟାପଟେନ ସୁନିଲ ଛେତ୍ରୀଙ୍କୁ କରୋନା, ଟ୍ଵିଟ୍ କରି ନିଜେ ଦେଲେ ସୂଚନା
ଭାରତୀୟ ଫୁଟବଲ ଟିମ୍ କ୍ୟାପଟେନ ସୁନିଲ ଛେତ୍ରୀ କରୋନା ପଜିଟିଭ୍ ମିଳିଛନ୍ତି। ଏ ନେଇ ଗୁରୁବାର ଛେତ୍ରୀ ନିଜେ ହିଁ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଛେତ୍ରୀ ଗୋଆରେ ଚାଲିଥିବା ଇଣ୍ଡିଆନ ସୁପର ଲିଗ୍(ISL)ରେ ଭାଗ ନେଇଥିଲେ। ଛେତ୍ରୀଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଏଫ୍ସି ଲିଗ୍ ଷ୍ଟେଜ୍ରୁ ବାହାରି ଯାଇଛି।
ଟ୍ଵିଟ୍ କରି ଛେତ୍ରୀ ଲେଖିଛନ୍ତି, ‘ଏହା ଖୁସି ହେଲା ଭଳି ଅପ୍ଡେଟ ନୁହେଁ। ମୁଁ କରୋନା ପଜିଟିଭର ଶିକାର ହୋଇଛି। ଭଲ କଥା ହେଉଛି କି, ମୁଁ ଠିକ୍ ଅନୁଭବ କରୁଛି। ଜଲ୍ଦି ହିଁ ଫୁଟବଲ ପଡ଼ିଆକୁ ଫେରିବି। ଆପଣ ସମସ୍ତଙ୍କୁ ସବୁବେଳେ ସୁରକ୍ଷା ସମ୍ବନ୍ଧୀୟ ସାବଧାନତା ଅବଲମ୍ବନ କରିବା ଉଚିତ’।
ଭାରତୀୟ ଫୁଟବଲ ଟିମ୍କୁ ଚଳିତ ମାସରେ ୟୁଏଇ ଏବଂ ଓମାନ ସହିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଅଛି। ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ୨୫ ମାର୍ଚ୍ଚରେ ଭାରତ ଓମାନ ସହିତ ଏବଂ ୨୯ ମାର୍ଚ୍ଚରେ ୟୁଏଇ ସହିତ ମ୍ୟାଚ୍ ଖେଳିବ। ଏହି ପ୍ରସ୍ତୁତି ପାଇଁ ଦୁବାଇରେ ଆସନ୍ତା ୧୫ ମାର୍ଚ୍ଚରୁ କ୍ୟାମ୍ପ୍ ଆୟୋଜନ ହେବ।
ସୁନିଲ ଛେତ୍ରୀ ନିକଟରେ ଇଣ୍ଡିଆନ ସୁପର ଲିଗ୍ ଟୁର୍ନାମେଣ୍ଟରେ ବାଙ୍ଗାଲୋର ଏଫ୍ସିର ନେତୃତ୍ୱ ନେଇଥିଲେ। କିନ୍ତୁ ଟିମ୍ ଲିଗ୍ ଷ୍ଟେଜ୍ରୁ ହିଁ ବାହାରି ଯାଇଥିଲା। ବାଙ୍ଗାଲୋର ଏଫ୍ସି ୫ଟି ମ୍ୟାଚ୍ ଜିତିଥିବା ବେଳେ ୭ଟି ଡ୍ର ସାଙ୍ଗକୁ ୮ଟି ମ୍ୟାଚ୍ରେ ହାରିଯାଇଥିଲା। ଏବେ ଏହା ୭ମ ସ୍ଥାନରେ ରହିଛି। ଛେତ୍ରୀ ୨୦ ମ୍ୟାଚ୍ରେ ବାଙ୍ଗାଲୋର ପାଇଁ ୮ଟି ଗୋଲ୍ ଦେଇଥିଲେ।
In a not-so-happy update, I’ve tested positive for COVID-19. In better news, I feel fine as I continue my recovery from the virus and should be back on a football pitch soon. No better time to keep reminding everyone to continue taking all the safety precautions always.
— Sunil Chhetri (@chetrisunil11) March 11, 2021