ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର, ଭାରତରେ ଖେଳାଯିବ ଆଇପିଏଲ୍ର ଦ୍ୱାଦଶ ସଂସ୍କରଣ

ଭାରତରେ ଖେଳାଯିବ ଆଇପିଏଲ୍ର ଦ୍ୱାଦଶ ସଂସ୍କରଣ। ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଏନେଇ ସ୍ପଷ୍ଟ କରିଛି ବିସିସିଆଇ । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟିର ବୈଠକରେ ଆଇପିଏଲ୍ ନେଇ ଆଲୋଚନା କରାଯାଇଛି। ଖୁବଶୀଘ୍ର ମ୍ୟାଚ୍ସୂଚୀ ପ୍ରକାଶ ପାଇବ। ତେବେ ଚଳିତବର୍ଷ ଆଇପିଏଲ୍ ଗୋଟିଏ ମାସ ଆଗରୁ ଅନୁଷ୍ଠିତ ହେବ। ପ୍ରତିବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପ୍ରାୟତଃ ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ମେ ମାସ ଶେଷ ସପ୍ତାହରେ ଉଦଯାପିତ ହୋଇଥାଏ।
କିନ୍ତୁ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାସେ ଆଗରୁ ଆଇପିଏଲ୍ ଖେଳାଯିବ। ସାଧାରଣ ନିର୍ବାଚନ ଥିବାରୁ ଏବର୍ଷ ଆଇପିଏଲ୍ ବିଦେଶରେ ଖେଳାଯିବ ବୋଲି କୁହାଯାଉଥିଲା । ପୂର୍ବରୁ ନିର୍ବାଚନ ଯୋଗୁ ୨୦୦୯ ଆଇପିଏଲ୍ ଦକ୍ଷିଣ ଆଫ୍ରିକା ଓ ୨୦୧୪ ଆଇପିଏଲ୍ର କିଛି ମ୍ୟାଚ୍ ୟୁଏଇରେ ଖେଳାଯାଇଥିଲା। ଆଇପିଏଲ୍ ପରେ ପରେ ରହିଛି ୨୦୧୯ ବିଶ୍ୱକପ୍ । ମେ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍ ଜୁଲାଇ ୧୪ ତାରିଖରେ ଶେଷ ହେବ । ତେଣୁ ଲୋଧା କମିଟିର ସୁପାରିଶ ଆଧାରରେ ଆଇପିଏଲ୍ ଓ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟରେ ୧୫ ଦିନର ବ୍ୟବଧାନ ରହିବା ଉଚିତ। ସେହି ଅନୁସାରେ କାର୍ଯ୍ୟସୂଚୀ ଜାରି କରାଯିବ ବୋଲି ବିସିସିଆଇ କହିଛି। ଚଳିତ ଆଇପିଏଲ୍ ପାଇଁ ଖେଳାଳି ନିଲାମ ସରିଛି । ୮ଟି ଫ୍ରାଞ୍ଚାଇଜି ଟିମ୍ ଟାଇଟଲ୍ ଲଢ଼େଇକୁ ଓହ୍ଲାଇବେ।