ପ୍ୟାରିସ୍ରେ ଭାରତୀୟ ଖେଳାଳିଙ୍କୁ ନିଜେ ତିଆରି କରିବାକୁ ପଡ଼ୁଛି ଖାଦ୍ୟ, ମିଳୁନାହିଁ ମନପସନ୍ଦର ଭୋଜନ

ପ୍ୟାରିସ୍ରେ ଖାଦ୍ୟ ପାଇଁ ହଇରାଣ ହେଉଛନ୍ତି ଭାରତୀୟ ଖେଳାଳି । ଏଠାରେ ସେମାନଙ୍କୁ ମିଳୁନାହିଁ ସେମାନଙ୍କ ମନପସନ୍ଦର ଖାଦ୍ୟ । ଅଲିମ୍ପିକ୍ ଗେମ୍ସରେ ଭାଗ ନେବାକୁ ଆସିଥିବା ଭାରତୀୟ ସୁଟିଂ ଦଳକୁ ସେମାନଙ୍କ ସ୍ୱାଦ ଅନୁଯାୟୀ ଖାଦ୍ୟ ଖୋଜିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ଖେଳାଳିଙ୍କ ପାଇଁ ଏଠାରେ ଦୁଇଟି ‘ଆଥଲେଟ୍ ଗାଁ’ ରହିଛି, କିନ୍ତୁ ଉଭୟରେ ଭାରତୀୟମାନଙ୍କୁ ପସନ୍ଦର ଭୋଜନ ମିଳୁନାହିଁ । କିଛି ସୁଟର ସ୍ଥାନୀୟ ଦକ୍ଷିଣ ଏସୀୟ ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ଜଣ ନିଜ ଖାଦ୍ୟ ନିଜେ ରାନ୍ଧୁଛନ୍ତି ।
ଜଣେ ଭାରତୀୟ ସୁଟର ନାମ ଗୋପନ ରଖିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି ଯେ ଖାଦ୍ୟ ଖୋଜିବାରେ କଷ୍ଟ ହେଉଛି, କୌଣସି ପ୍ରକାରେ କାମ ଚଳୁଛି ।
ସୁଟିଂ ପ୍ରଶିକ୍ଷକ ଜସପାଲ ରାଣା କହିଛନ୍ତି, ‘ଆମେ ନିଜେ ଖାଦ୍ୟ ପ୍ରସ୍ତୁତ କରୁଛୁ । ଗତକାଲି ମୁଁ ରାଜମା, ଭାତ ଖାଇଥିଲି । ଗ୍ରୋସରୀ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଲି ଏବଂ ମୋ ଆପାର୍ଟମେଣ୍ଟରେ ପ୍ରସ୍ତୁତ କଲି’ ।
ଏଥର ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅଲିମ୍ପିକ୍ସ ଆୟୋଜନ କରାଯାଇଛି । ଏଥିରେ ଭାଗ ନେବାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ସର୍ବଶ୍ରେଷ୍ଠ ଆଥ୍ଲେଟମାନେ ଆସିଛନ୍ତି । ଚଳିତ ବର୍ଷ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେବାକୁ ଭାରତରୁ ୧୧୭ ଖେଳାଳିଙ୍କ ଟିମ୍ ଆସିଛି ।