ପ୍ୟାରିସରେ ଗରମରେ ଛଟପଟ ହେଉଥିଲେ ଭାରତୀୟ କ୍ରୀଡାବିତ୍, ୪୦ଟି ପୋର୍ଟେବଲ ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ

କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି କ୍ରୀଡ଼ାବିତ । ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ ନେଇଛି । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ । ଶେଷରେ ପ୍ୟାରିସ ଅଲିମ୍ପିକ୍ସ ଭିଲେଜରେ ଭାରତୀୟ ଆଥଲେଟଙ୍କୁ ମିଳିଲା ଏୟାର କଣ୍ଡିସନର । ନିଜ ଖର୍ଚ୍ଚରେ ଭାରତର କ୍ରୀଡା ମନ୍ତ୍ରଣାଳୟ ୪୦ଟି ପୋର୍ଟେବଲ AC ପଠାଇଛି ।
ପ୍ୟାରିସରେ ତାପମାତ୍ରା ବଢ଼ୁଥିବା ବେଳେ ଭାରତୀୟ ଆଥଲେଟ୍ ମାନେ ଗରମରେ ସିଝୁଥିଲେ । କ୍ରୀଡ଼ା ଗ୍ରାମରେ ସେମାନଙ୍କୁ ଏସି ମିଳିନଥିଲା । ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ସହ ଆଲୋଚନା ପରେ କ୍ରୀଡ଼ା ମନ୍ତ୍ରାଳୟ ନିଜ ଖର୍ଚ୍ଚରେ ୪୦ଟି ପୋର୍ଟେବଲ୍ ଏସି ପଠାଇଛି । ଏବେ ଆରାମ ପାଇବେ ଭାରତୀୟ କ୍ରୀଡ଼ାବିତ । ପ୍ୟାରିସରେ କ୍ରୀଡ଼ା ମହାକୁମ୍ଭ ଚାଲିଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।
କ୍ରୀଡା ମନ୍ତ୍ରଣାଳୟ, କ୍ରୀଡ଼ା ପ୍ରାଧିକରଣ ଅଫ୍ ଇଣ୍ଡିଆ (SAI), IOA ଏବଂ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ମଧ୍ୟରେ ଏକ ସମନ୍ୱୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ସୂଚନାଯୋଗ୍ୟ, ଅତ୍ୟଧିକ ଗରମ ଯୋଗୁଁ ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ପାଇଁ ୪୦ଟି ଏସି ପଠାଇଛି ।
ଅଲିମ୍ପିକ୍ସରେ ଭିଲେଜରେ ଛୋଟ ରୁମ କିଛି ନୂଆ କଥା ନୁହେଁ । କିଛି ଖେଳାଳି କହିଛନ୍ତି, ରୁମ୍ ବହୁତ ଛୋଟ । ଏଥର ମଧ୍ୟ ରୁମ୍ ତିଆରି ବେଳେ ବାତାବରଣକୁ ଧ୍ୟାନରେ ରଖାଯାଇଛି । ତେଣୁ ଆଥଲେଟ କାର୍ଡବୋର୍ଡ ବେଡରେ ଶୋଉଥିଲେ । ଏସି ମଧ୍ୟ ଲଗାଯାଇନଥିଲା । କିନ୍ତୁ ଖେଳାଳି ନିଜର ପୋର୍ଟେବଲ ଏସି ନେଇ ଆସିଛନ୍ତି ।