ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ବଢୁଛି ଭାରତୀୟ ଟିମର ଟେନସନ, ଅଭ୍ୟାସ ବେଳେ ଆହତ ହେଉଛନ୍ତି ଖେଳାଳି

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ ପାଇଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ପହଞ୍ଚିଛି । ଟିମର ଖେଳାଳି ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି । ଅଭ୍ୟାସ କରିବା ସମୟରେ ଆହତ ହୋଇଛନ୍ତି ଭାରତୀୟ ଟିମର ଅନେକ ଖେଳାଳି । ଏମାନେ ସିରିଜର ପ୍ରଥମ ମ୍ୟାଚ ମିସ୍ କରିପାରନ୍ତି ବୋଲି ଖବର ମିଳୁଛି । ଆହତ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶୁବମନ ଗିଲ, କେଏଲ ରାହୁଲ ଏବଂ ସରଫରାଜ ଖାନ ।

ଅଭ୍ୟାସ ସମୟରେ ଭାରତୀୟ ଖେଳାଳି ପରସ୍ପର ସହିତ ମ୍ୟାଚ ଖେଳୁଛନ୍ତି । ଏହି ସମୟରେ କେଏଲ ରାହୁଲଙ୍କ ଡାହାଣ କହୁଣୀରେ ଆଘାତ ଲାଗିଥିଲା । ଫଳରେ ଅଧାରୁ ମ୍ୟାଚ ଛାଡି ଯାଇଥିଲେ ରାହୁଲ । କେଏଲ ରାହୁଲ ଆହତ ହେବା ପରେ ଫିଜିଓ ତୁରନ୍ତ ଆସି ଚିକିତ୍ସା କରିଥିଲେ । ଆହତ ସତ୍ତ୍ବେ ରାହୁଲ ଖେଳ ଜାରି ରଖିଥିଲେ । କିନ୍ତୁ ବେଶି ଯନ୍ତ୍ରଣା ବଢିବାରୁ ପଡିଆ ଛାଡି ଚାଲିଯାଇଥିଲେ ।  ରାହୁଲଙ୍କୁ ଆଘାତ ଲାଗିବା ପରେ ଫ୍ୟାନ୍ସ ଚିନ୍ତାରେ ରହିଥିଲେ । କିନ୍ତୁ ଏବେ ରାହୁଲ ଅଭ୍ୟାସ ମାଚକୁ ଫେରିଛନ୍ତି । ଯଦି ରାହୁଲ ସିରିଜର ପ୍ରଥମ ମ୍ୟାଚ ମିସ୍ କରିଥାନ୍ତେ, ତେବେ ଭାରତ ପାଇଁ ଚିନ୍ତାର ବିଷୟ ହୋଇଥାନ୍ତା ।

ଭାରତୀୟ ଟିମର ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ତେଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି । ଇଣ୍ଡିଆ-ଏ ବିପକ୍ଷରେ ମ୍ୟାଚ ସମୟରେ ଆଙ୍ଗୁଠିରେ ଚୋଟ ଲାଗିବା କାରଣରୁ ଶୁବମନ ଆହତ ହୋଇଛନ୍ତି । ଯଦି ଶୁବମନ ପ୍ରଥମ ଟେଷ୍ଟରେ ନ ଖେଳନ୍ତି, ତାହା ଟିମ୍ ଇଣ୍ଡିଆର ଟେନସନ୍ ବଢ଼ାଇପାରେ ।

ପୂର୍ବରୁ ସରଫରାଜ ଖାନ ମଧ୍ୟ ଆହତ ହୋଇଛନ୍ତି । ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା ଏବେ ଭାରତରେ ରହିଛନ୍ତି । ରୋହିତ ଦ୍ବିତୀୟ ଥର ପାଇଁ ବାପା ହୋଇଛନ୍ତି । ପତ୍ନୀ ରିତିକାଙ୍କ ଯୋଗୁଁ ରୋହିତ ପ୍ରଥମ ମ୍ୟାଚ ମିସ୍ କରିଥାନ୍ତେ ବୋଲି ଖବର ମିଳିଥିଲା । କିନ୍ତୁ ଏବେ ଟିମରେ ରହିବେ ବୋଲି ଚର୍ଚ୍ଚା ହେଉଛି ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।

ପ୍ରଥମ ଟେଷ୍ଟ : ୨୨-୨୬ ନଭେମ୍ବର
ଦ୍ବିତୀୟ ଟେଷ୍ଟ : ୬-୧୦ ଡିସେମ୍ବର
ତୃତୀୟ ଟେଷ୍ଟ : ୧୪-୧୮ ଡିସେମ୍ବର
ଚତୁର୍ଥ ଟେଷ୍ଟ : ୨୬-୩୦ ଡିସେମ୍ବର
ପଞ୍ଚମ ଟେଷ୍ଟ : ୩-୭ ଜାନୁଆରୀ

You might also like