ଚେଜଙ୍କ ଶତକ, ଇଣ୍ଡିଜ୍ ୩୧୧ ରନରେ ଅଲଆଉଟ୍

ହାଇଦ୍ରାବାଦ : ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୧୧ ରନ୍ କରି ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । ତେବେ ଗତକାଲି ୯୮ ରନ୍ କରି ଅପରାଜିତ ଥିବା ଚେଜ୍ ରୋଷ୍ଟନ ଶତକ ହାସଲ କରିଛନ୍ତି । ସେ ୧୦୬ ରନ୍ କରି ଉମେଶ ଯାଦବଙ୍କ ବଲରେ ବୋଲଡ୍ ହୋଇ ଯାଇଥିଲେ । ଏହା ତାଙ୍କର ଚତୁର୍ଥ ଟେଷ୍ଟ ଶତକ । ୨୦୧୧ରେ ଡାରେନ୍ ବ୍ରାଭୋଙ୍କ ପରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଭାରତ ମାଟିରେ ଏହା ହେଉଛି ପ୍ରଥମ ଶତକ ।

ଭାରତ ପକ୍ଷରୁ ପେସ୍ ବୋଲର୍ ଯାଦବ ୮୮ ରନ୍ ଦେଇ ସର୍ବାଧିକ ୬ଟି ୱିକେଟ୍ ଦଖଲ କରିଥିବା ବେଳେ ସ୍ପିନର କୁଲଦୀପ ଯାଦବ ୮୫ ରନରେ ୩ଟି ୱିକେଟ୍ ନେଇଛନ୍ତି । ଆଜି ସକାଳେ ଉମେଶ ବାକି ୩ଟି ଯାକ ୱିକେଟ୍ ଦଖଲ କରି ନେଇଥିଲେ । ସେ ଦ୍ବିତୀୟଥର ପାଇଁ ଗୋଟିଏ ଇନିଂସରେ ୫ରୁ ଅଧ୍ବିକ ୱିକେଟ୍ ଦଖଲ କରିଛନ୍ତି । ତାଙ୍କର ୬ଟି ଶିକାର ମଧ୍ୟରୁ ଅଧିକାଂଶ ବ୍ୟାଟସମ୍ୟାନ କ୍ଲିନ୍ ବୋଲଡ୍ ନହେଲେ ଏଲବିଡବଲ୍ୟୁ ହୋଇଛନ୍ତି ।

ଗତକାଲି ୭ ୱିକେଟରେ ୨୯୫ କରିଥିବା ଇଣ୍ଡିଜ୍ ଦଳ ଆଜି ଆଉ ମାତ୍ର ୧୬ ରନ୍ ହିଁ ଯୋଗ କରି ବାକି ୩ଟି ୱିକେଟ୍ ହରାଇଥିଲା । ଏହା ପରେ ଲୋକେଶ ରାହୁଲ ଓ ପୃଥ୍ବୀ ସ ଭାରତର ପ୍ରଥମ ପାଳି ଆରମ୍ଭ କରିଛନ୍ତି । ରହୁଲ ଜଗିରଖି ଖେଳୁଥିବା ବେଳେ ପୃଥ୍ବୀ ତାଙ୍କ ନିଜସ୍ବ ଷ୍ଟାଇଲରେ ଇଣ୍ଡିଜ୍ ବୋଲରଙ୍କୁ ଆକ୍ରମଣ କରି ଚାଲିଛନ୍ତି । ସେ ତାଙ୍କର ପ୍ରଥମ ୧୫ ରନ୍ ଭିତରେ ୨ଟି ଚୌକା ଓ ଗୋଟିଏ ଛକା ମାରି ସାରିଥିଲେ ।

ସ୍କୋର : ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍, ୧୦୧.୪ ଓଭର (ଚେଜ୍ ୧୦୬, ହୋଲଡର ୫୨, ହୋପ୍ ୩୬, ଡୋରିଚ୍ ୩୦, ଉମେଶ ଯାଦବ ୬/୮୮, କୁଲଦୀପ ଯାଦବ ୩/୮୫)

 

You might also like