ଭାରତର ରନ୍ ପାହାଡ଼ ତଳେ ଦବି ଗଲା ଇଣ୍ଡିଜ୍

ରାଜକୋଟ : ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୬୪୯ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଏହା ପରେ ବୋଲରମାନେ ଦୁର୍ବଳ ୱେଷ୍ଟଇଣ୍ଡିଜ୍ ଦଳର ୬ଟି ପ୍ରମୁଖ ୱିକେଟ୍ ମାତ୍ର ୯୪ ରନରେ ଖସାଇ ଦେଇଛନ୍ତି । ଫଲୋଅନ୍ ଏଡ଼ାଇବାକୁ ସଂଘର୍ଷ କରୁଥିବା ଭ୍ରମଣକାରୀ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଅତ୍ୟନ୍ତ ନୈରାଶ୍ୟଜନକ ଖେଳ ଦେଖାଇଛି ।

ଗତକାଲି ଥିଲା ପୃଥ୍ୱୀ ସ‘ଙ୍କ ଦିନ । ଆଉ ଆଜି ଦିନଟିକୁ ଅନ୍ୟମାନେ ବାଣ୍ଟି ନେଇଥିଲେ । ଅଧିନାୟକ ବିରାଟ କୋହଲି ତାଙ୍କର ୨୪ତମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ମାରିଥିଲେ । ତେବେ ଋଷଭ ପନ୍ଥ ୮ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇ ଥିଲେ । ପନ୍ଥ ୯୨ ରନ୍ କରି ଆଉଟ୍ ହୋଇଥିଲେ । ଏସବୁ ବାଦ୍ ଇଣ୍ଡିଜ୍ ବ୍ୟାଟିଂ ବେଳେ ଜାଡେଜାଙ୍କ ଏକ ରନ୍ ଆଉଟ୍ ବେଶ୍ ମଜାଦାର ଥିଲା ।

ଆଜି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିବା ପରେ ଅଧିନାୟକ ବିରାଟ କୋହଲି ପାଳି ଘୋଷଣା କରିଥିଲେ । ସେତେବେଳେ ଜାଡେଜା ୧୩୨ ବଲରେ ୧୦୦ ରନ୍ (୫ ଚୗକା, ୫ ଛକା) କରି ଖେଳୁଥିଲେ । ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ଥିଲା ୯୦ ରନ୍ । ଜାଡେଜାଙ୍କ ପୂର୍ବରୁ କୋହଲି ତାଙ୍କର ୨୪ତମ ଟେଷ୍ଟ ଶତକ ହାସଲ କରିବା ପରେ ୧୩୯ ରନରେ ଆଉଟ୍ ହୋଇଥିଲେ । ଅଧିନାୟକ ଭାବେ କୋହଲିଙ୍କର ଏହା ହେଉଛି ୧୭ତମ ଏବଂ ଇଣ୍ଡିଜ୍ ବିପକ୍ଷରେ ଦ୍ବିତୀୟ ଶତକ । ଓପ୍ନର ପୃଥ୍ୱୀ ସ’ଙ୍କ ଶତକକୁ ମିଶାଇ ଭାରତର ପ୍ରଥମ ଇନିଂସରେ ୩ଟି ଶତକ ହୋଇଛି । ଇଣ୍ଡିଜ୍ ପକ୍ଷରୁ ଦେବେନ୍ଦ୍ରେ ବିଶୁ ସଫଳ ବୋଲର ଭାବେ ୨୧୭ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ଦଖଲ କରିଛନ୍ତି ।

ପରେ ଭାରତୀୟ ବୋଲରମାନେ ଅନଭିଜ୍ଞ ଇଣ୍ଡିଜ୍ ବ୍ୟାଟସମ୍ୟାନଙ୍କୁ ଜଣକ ପରେ ଜଣେ ପାଭିଲିଆନ ପଠାଇ ଚାଲିଥିଲେ । କେବଳ ମଧ୍ୟଭାଗରେ ରୋଷ୍ଟନ ଚେଜ୍ ୨୭ ରନ୍ କରି ଅପରାଜିତ ରହିଥିବା ବେଳେ ଅନ୍ୟମାନଙ୍କ ଯୋଗଦାନ ନକହିବା ଭଲ । ଆଜି ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ମାତ୍ର ୨୯ ଓଭର ଖେଳି ୱେଷ୍ଟଇଣ୍ଡିଜ୍ ୬ ଜଣ ଖେଳାଳିଙ୍କୁ ହରାଇ ୯୪ ରନ୍ କରିଛି । ମହମ୍ମଦ ସାମି ୨ଟି, ଜାଡେଜା, ଅଶ୍ବିନ୍ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

 ସ୍କୋର : ଭାରତ ପ୍ରଥମ ଇନିଂସ- ୬୪୯/୯ ରନରେ ଘୋଷଣା (ପୃଥ୍ୱୀ ସ ୧୩୪, ପୂଜାରା ୮୬, କୋହଲି ୧୩୯, ପନ୍ଥ ୯୨, ଜାଡେଜା ଅପରାଜିତ ୧୦୦, ଉମେଶ ଯାଦବ ୨୨, ବିଶୁ ୪/୨୧୭)

ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍-୯୪/୬ (ଚେଜ୍ ଅପରାଜିତ ୨୭, ସାମି ୬-୨-୧୧-୨)

ଜାଡେଜାଙ୍କ କମାଲ

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ଲାଭ କରିଥିଲେ । ପୁଣି ବୋଲିଂ ବେଳେ ପ୍ରଥମ ବଲରେ ୱିକେଟ୍ ଦଖଲ କରିଥିଲେ । ତେବେ ସବୁଠୁ ମଜାଦାର ଥିଲା ତାଙ୍କର ରନ୍ଆଉଟ । ଇଣ୍ଡିଜ୍ ଇନିଂସର ୧୨ ଓଭରରେ ସିମ୍ରନ ହେଟମେୟର ଓ ସୁନୀଲ ଅମ୍ବ୍ରିସ୍ ବ୍ୟାଟିଂ କରୁଥିଲେ ।

DAY-2_2

ସ୍ପିନର ଅଶ୍ବିନଙ୍କ ବଲରେ ହେଟମେୟର ମିଡଅନକୁ ସଟ୍ ଖେଳି ରନ୍ ନେବାକୁ ଡାକ ଦେଲେ । ତେବେ ଅଧା ପିଚରେ ପହଞ୍ଚି ଫେରିଯିବାକୁ କହିଲେ । ସେତେବେଳେ ଜାଡେଜା ବଲ୍ ଧରି ଏହି ଡ୍ରାମାକୁ ଦେଖୁଥିଲେ । ସେ ଅଶ୍ବିନଙ୍କ ହାତକୁ ବଲ୍ ନପକାଇ ଅପେକ୍ଷା କରିଥିଲେ କେତେବେଳେ ହେଟମେୟର ନନଷ୍ଟ୍ରାଇକର ପଟକୁ ଆସିବେ । ତାଙ୍କର ଏଭଳି କାଣ୍ଡ ଦେଖି ସମସ୍ତେ ଆଚମ୍ବିତ ହୋଇ ଯାଇଥିଲେ । ତେବେ ଶେଷରେ ପାଖକୁ ଯାଇ ଜାଡେଜା ୱିକେଟ୍ ଭାଙ୍ଗିଥିଲେ । ସେତେବେଳକୁ ହେଟମେୟର କ୍ରିଜର ପୂରା ପାଖରେ ପହଞ୍ଚି ଯାଇଥିଲେ । ଅଳ୍ପକେ ସେ ଆଉଟ୍ ହେଲେ । ଜାଡେଜାଙ୍କ ଏଭଳି କାରନାମାରେ ଖେଳାଳି ଓ ଦର୍ଶକ ସିନା ମଜା ନେଇଥିଲେ ହେଲେ ଅସନ୍ତୋଷ ପ୍ରକାଶ କରିଥିଲେ ଅଧିନାୟକ ବିରାଟ କୋହଲି ।

You might also like