ହକି ବିଶ୍ୱ କପ୍‌ରେ ‘ଓଲି’ ମନ ତଳର ବେଦନା

ଦେଖିବାକୁ ଭାରି କ୍ୟୁଟ୍‌ । ସମସ୍ତେ ତା ସହିତ ଖେଳନ୍ତି । ଏବେ ହକି ବିଶ୍ୱ କପ୍‌ରେ ସେ ହେଛି ସମସ୍ତଙ୍କ ଆଦରର ପାତ୍ର । ସେ ହେଉଛି ଓଡ଼ିଶା ହକି ବିଶ୍ୱ କପ୍‌ର ମାସ୍କଟ୍‌ ଓଲି । ବିଶ୍ୱ କପ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଚାର ପାଇଁ ବିଭିନ୍ନ ଜିଲ୍ଲା ବୁଲିଥିଲା । ଏବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ହେଉଛି ତାର ଠିକଣା । ବିଶେଷ କରି ଫ୍ୟାନ୍‌ ଭିଲେଜ୍‌ରେ ଓଲିର ଆଦର ସବୁଠାରୁ ବେଶି । ତା ସହିତ ଦର୍ଶକ ଓ ବିଶେଷ କରି ପିଲାମାନେ ଖେଳିଥାନ୍ତି । ସମସ୍ତେ ସେଲଫି ନେଇଥାନ୍ତି । ସମସ୍ତଙ୍କୁ ଖୁସି ବାଣ୍ଟେ ଓଲି ।

CM

ହେଲେ କେବେ କେହି ଦେଖି ନାହାନ୍ତି ଓଲି ମାସ୍କଟ୍‌କୁ ଜୀବନ୍ତ କରିଥିବା ବ୍ୟକ୍ତିଟି କିଏ ? ଚେଷ୍ଟା ବି କରି ନାହାନ୍ତି ଓଲି ମନ ତଳର ବେଦନା ଜାଣିବା ଲାଗି । ପିଲାଟିର ନାଁ ବିକାଶ ସାହୁ । ରାଜଧାନୀ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ର । ଜଗତସିଂହପୁରରେ ହେଉଛି ନିଜ ଘର । ବିକାଶ ଭୁବନେଶ୍ୱର ସାଇନ୍ସ ପାର୍କ ନିକଟ ବସ୍ତିରେ ରୁହନ୍ତି । ସେହି ଘର ପାଖର ଜଣେ ଲୋକ ତାଙ୍କୁ ଓଲି ହେବା ପାଇଁ ପ୍ରସ୍ତାବ ଦେଲେ ଓ କିଛି ଅର୍ଥ ଆଶାରେ ବିକାଶ ରାଜି ହୋଇଗଲେ । କାରଣ ଗରିବ ଘରୁ ଆସିଥିବା ବିକାଶ ବହୁ କଷ୍ଟରେ ଭୁବନେଶ୍ୱରରେ ରହି ପାଠ ପଢୁଛନ୍ତି ।

CYCLE

ବିକାଶ ପ୍ରତିଦିନ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳ ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ଆସି ପହଞ୍ଚିଥାଏ । ନିଜର ସବୁ ଦୁଃଖ କଷ୍ଟକୁ ମନ ଭିତରେ ଚାପି ରଖି ଓଲିର ପୋଷାକ ଭିତରେ ଲୁଚିଯାଏ । ଲୋକଙ୍କ ସାଙ୍ଗରେ ଖେଳେ, ସେମାନଙ୍କୁ ହସାଏ । ସମସ୍ତଙ୍କ ମନ ଜିଣିବାକୁ ଚେଷ୍ଟା କରେ । କେତେବେଳେ ଦେଶ ବିଦେଶର ଖେଳାଳିମାନଙ୍କ ସହିତ ତ ଆଉ କେତେବେଳେ ହକି ଫ୍ୟାନ୍‌ଙ୍କ ସହ ପୁଣି କେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଦେଖିବାକୁ ମିଳିଛି ଓଲିକୁ ।

3

ବିକାଶ ଘରେ ଚାରି ଭାଇ । ବାପା ଜଣେ ମେକାନିକ୍‌ । ଆର୍ଥିକ ଦୁରବସ୍ଥା ଭିତରେ ଘର ଚଳୁଛି । ଏପଟେ ଓଲିର ପୋଷାକ ପିନ୍ଧି ଘଣ୍ଟା ଘଣ୍ଟା ଧରି ତା ଭିତରେ ରହିବା ଭାରି କଷ୍ଟକର । ହେଲେ କିଛି ପାଇବା ପାଇଁ କିଛି କଷ୍ଟ ତ କରିବାକୁ ହେବ । ସମସ୍ତେ ସିନା ଓଲି ସହିତ ବୁଲି ମଜା ନିଅନ୍ତି କିନ୍ତୁ କେହି ଦିନେ ପଚାରନ୍ତି ନାହିଁ ସେ କେମିତି ଅଛି, ଖାଇଛି ନା ନାହିଁ । ତାକୁ କଷ୍ଟ ଲାଗୁଛି କି ବୋଲି । ହେଲେ ତାକୁ ଦିଆଯାଇଥିବା ଦାୟିତ୍ୱକୁ ସେ ସୁଚାରୁ ରୂପେ ତୁଲାଉଛି । ଓଲି ପୋଷାକ ଭିତରେ ଲୁଚି ରହିଥିଲେ ବି ଲୋକଙ୍କ ସହ ମିଶିଲେ, ସେମାନଙ୍କ ଖୁସିରେ ନିଜ କଷ୍ଟ ଭୁଲି ଯାଉଛି ବିକାଶ ।

BIKASH

ଡିସେମ୍ବର ୧୬ ତାରିଖରେ ହକି ବିଶ୍ୱ କପ୍‌ର ଫାଇନାଲ୍‌ ଖେଳ । ଉଦଯାପନୀ ଉତ୍ସବ ପରେ ସରିଯିବ ଓଲିର ଦାୟିତ୍ୱ । ବିରଳ ଅଲିଭ ରିଡଲେ କଇଁଛକୁ ପ୍ରତୀକ ଭାବେ ଖେଳର ମାସ୍କଟ୍‌ କରାଯାଇଛି । ହକି ଇତିହାସରେ ସିନା ଓଲି ମାସ୍କଟ୍‌ର ନାଁ ସବୁ ଦିନେ ଲିପିବଦ୍ଧ ହୋଇ ରହିଯିବ ହେଲେ ବିକାଶ ଏବଂ ତା ପରି ଆଉ ଜଣେ ଯୁବକ ଯିଏକି ଓଲିର ରୂପ ଧାରଣ କରି ଲୋକଙ୍କୁ ଖୁସି ବାଣ୍ଟିଛି, ତାଙ୍କୁ କେହି ମନେ ରଖିବେ ନାହିଁ । ପାଠରେ ପ୍ରାୟ ୮୦ ପ୍ରତିଶତ ମାର୍କ ରଖୁଥିବା ବିକାଶ ଏହି ମେଗା ଇଭେଣ୍ଟ ସରିଲେ ପୁଣି ସାମିଲ ହେବ ଆଉ କୌଣସି ଇଭେଣ୍ଟରେ । କାରଣ ରୋଜଗାର କଲେ ତ ପାଠ ପଢ଼ିବ !

ରିପୋର୍ଟ : ରାଜା, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.