IPL ୨୦୨୧: ଫାଇନାଲରେ ପ୍ରବେଶ କଲା କୋଲକାତା ନାଇଟ୍‌ ରାଇଡର୍ସ, କିନ୍ତୁ ଦିନେଶ କାର୍ତ୍ତିକଙ୍କୁ ବଡ଼ ଝଟ୍‌କା

ଚଳିତ ଆଇପିଏଲ୍‌ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍‌ର ଫାଇନାଲରେ ପ୍ରବେଶ କରିଛି। ଏବେ ଫାଇନାଲରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ। ଏଣୁ ଚଳିତବର୍ଷ ଆଇପିଏଲ୍‌ର ଫାଇନାଲ ସଂଘର୍ଷପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି। ତେବେ ଇତି ମଧ୍ୟରେ କେକେଆରକୁ ଏକ ବଡ଼ ଝଟ୍‌କା ଲାଗିଛି। ଟିମ୍‌ର ସିନିୟର ଖେଳାଳି ତଥା ପୂର୍ବ କ୍ୟାପ୍‌ଟେନ୍‌ ଦିନେଶ କାର୍ତ୍ତିକଙ୍କୁ ନିନ୍ଦା କରିଛି ବୋର୍ଡ।

କୋଲକାତା ନାଇଟ୍‌ ରାଇଡର୍ସର ଓ୍ଵିକେଟ୍‌ କିପର- ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକଙ୍କୁ ଆଇପିଏଲ୍‌ର ଆଚାର ସଂହିତା ଉଲ୍ଲଂଘନ କରିଥିବାରୁ ନିନ୍ଦା କରାଯାଇଛି। ଆଇପିଏଲ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କ୍ୱାଲିଫାୟାର-୨ ମୁକାବିଲା ବେଳେ ସେ ଆଇପିଏଲ୍‌ ଆଚାର ସଂହିତାର ଉଲ୍ଲଂଘନ କରିଛନ୍ତି।

କାର୍ତ୍ତିକ ଆଇପିଏଲ୍‌ର ଆଚାର ସଂହିତାର ଲେବଲ ୧ର ଅପରାଧ ୨.୨କୁ ସ୍ୱୀକାର କରିଛନ୍ତି। ଆଚାର ସଂହିତାର ଲେବଲ ୧କୁ ଉଲ୍ଲଂଘନ ପାଇଁ ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତି ଶେଷ ହୋଇଥାଏ।
କୋଲକାତା ନାଇଟ୍‌ ରାଇଡର୍ସ କ୍ୱାଲିଫାୟାର-୨ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଓ୍ଵିକେଟ୍‌ରେ ମାତ୍‌ ଦେଇ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଛି। ତେବେ ଚଳିତ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ସାମ୍ନାସାମ୍ନୀ ହେବେ।

ସୂଚନାଯୋଗ୍ୟ ଯେ ୧୩୬ ରନ୍‌ର ପିଛା କରି କୋଲକାତା ନାଇଟ୍‌ ରାଇଡର୍ସ ଗୋଟିଏ ସମୟରେ ସହଜରେ ବିଜୟ ଆଡ଼କୁ ମାଡ଼ିଚାଲିଥିଲା। କିନ୍ତୁ ଏହା ପରେ ଲଗାତାର ଟିମ୍‌ର ଓ୍ଵିକେଟ୍‌ ପଡ଼ିବାକୁ ଲାଗିଲା। ଏ ହି ସମୟରେ ଖାତା ଖୋଲିବା ପୂର୍ବରୁ ହିଁ ଦିନେଶ କାର୍ତ୍ତିକଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ତାଙ୍କୁ ୧୮ ଓଭରର ଶେଷ ବଲ୍‌ରେ ଏନରିକ୍‌ ନାର୍କିଆ ବୋଲ୍ଡ କରିଥିଲେ।

Leave A Reply

Your email address will not be published.