ଆଇପିଏଲ ୨୦୨୫ ତାରିଖ ଘୋଷଣା : କୋଲକାତାରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍

ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ରବିବାର ବିସିସିଆଇ ଭାଇସ ପ୍ରେସିଡେଣ୍ଟ ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି । ବିସିସିଆଇ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆ ଯାଇଥିବା ସେ କହିଛନ୍ତି । ତେବେ ଲିଗର ପ୍ରଥମ ମ୍ୟାଚ୍ କେଉଁ ଟିମ ମଧ୍ୟରେ ଖେଳାଯିବ ଏନେଇ ସେ କୌଣସି ସୂଚନା ପ୍ରଦାନ କରି ନାହାନ୍ତି ।
ସେହିପରି ମହିଳା ପ୍ରିମିୟର ଲିଗର ପାଇଁ ଭେନ୍ୟୁ ମଧ୍ୟ ଚୂଡ଼ାନ୍ତ ହୋଇ ସାରିଛି । ଖୁବ ଶୀଘ୍ର ଏହାର ଘୋଷଣା କରାଯିବ ବୋଲି ଶୁକ୍ଲା କହିଛନ୍ତି । ମୁମ୍ବାଇରେ ଆୟୋଜିତ ବୈଠକରେ ପୂର୍ବତନ ୱିକେଟକିପର ଏବଂ ବ୍ୟାଟ୍ସମ୍ୟାନ୍ ଦେବଜିତ ସାଇକିଆଙ୍କୁ ବିସିସିଆଇ ନୂତନ ସେକ୍ରେଟାରୀ ଭାବେ ଘୋଷଣା କରାଯାଇଥିବାବେଳେ ପ୍ରଭତେଜ ସିଂ ଭାଟିଆ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ଏହା ବ୍ୟତୀତ ଆଇପିଏଲ୍ ଏକ ବର୍ଷ ପାଇଁ ନୂତନ କମିଶନର ନିଯୁକ୍ତ କରିବାକୁ ମଧ୍ୟ ଘୋଷଣା କରାଯାଇଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବ ବର୍ଷ ଅର୍ଥାତ ୨୦୨୪ ମସିହା ମାର୍ଚ୍ଚ ୨୨ରେ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏଥିରେ ପ୍ରଥମ ମ୍ୟାଚ୍ରେ ଆର୍ସିବି ଏବଂ ସିଏସ୍କେ ପରସ୍ପରର ମୁହାଁମୁହିଁ ହୋଇଥିଲେ ଏବଂ ଫାଇନାଲ୍ ମେ ୨୬ ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କେକେଆର୍ ଟ୍ରଫି ଜିତିଥିଲା । ତେବେ ,ଚଳିତ ଥର ଫାଇନାଲ ମ୍ୟାଚ୍ ମେ ୨୫ରେ କୋଲକାତାର ଇଡେନ୍ ଗାଡେର୍ନ୍ସରେ ଖେଳାଯିବ ବୋଲି ଜଣାପଡ଼ିଛି ।