ଆଇପିଏଲ୍ ୨୦୨୦ : ମହା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ, ଗଣିତ କିନ୍ତୁ ମୁମ୍ବାଇ ସପକ୍ଷରେ
ଦୁବାଇ : ଆଜି ସରିଯିବ ଆଇପିଏଲ୍ ୨୦୨୦ । କାରଣ ଆଜି ହେଉଛି ଫାଇନାଲ୍ ମ୍ୟାଚ୍ । ଦୁବାଇ କ୍ରିକେଟ୍ ଷ୍ଟାଡିୟମ୍ରେ କ୍ରିକେଟ୍ର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ହେବ ଜୋରଦାର ଟକ୍କର । ତ୍ରୟାଦଶ ଆଇପିଏଲ୍ର ଦୁଇ ଶୀର୍ଷ ଦଳ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଭଲ ଫର୍ମରେ ଅଛନ୍ତି । ତେଣୁ ଟାଇଟଲ୍ ଲଢ଼େଇରେ ବଢ଼ିଆ ଫାଇଟ୍ ହେବ ବୋଲି ଆଶା କରାଯାଉଛି ।
ମୁମ୍ବାଇ ପୂର୍ବରୁ ଚାରିଥର ଆଇପିଏଲ୍ ଟ୍ରଫି ଜିତିଥିବା ବେଳେ ଷଷ୍ଠଥର ଫାଇନାଲ୍ରେ ପହଞ୍ଚିଛି । ଅନ୍ୟପକ୍ଷରେ ଦିଲ୍ଲୀ ପ୍ରଥମଥର ଫାଇନାଲ୍କୁ ଆସିଛି । ମୁମ୍ବାଇ ଦଳରେ ରୋହିତ ଶର୍ମା ଅଧିନାୟକ ଥିବା ବେଳେ ଅଲରାଉଣ୍ଡର ଫାଣ୍ଡ୍ୟା ବ୍ରଦର ଏବଂ କିରେନ୍ ପୋଲାର୍ଡ ଅଛନ୍ତି । ଯେଉଁମାନେ ମ୍ୟାଚ୍ର ଗତି ପରିବର୍ତ୍ତନ କରିଦେବାକୁ ବେଶ୍ ସକ୍ଷମ । ପୁଣି କୁଇଣ୍ଟନ୍ ଡିକକ୍, ଜୋରଦାର ଫର୍ମରେ ଥିବା ସୂର୍ଯ୍ୟ କୁମାର ଯାଦବ, ଇଶାନ କାଷାନ ମଧ୍ୟ ରହିଛନ୍ତି । ବୋଲିଂରେ ବୁମ୍ ବୁମ୍ ବୁମରା ହେଉଛନ୍ତି ପ୍ରତିପକ୍ଷଙ୍କ ପାଇଁ ସବୁଠାରୁ ବଡ଼ ବିପଦ ।
ଏପଟେ ଦିଲ୍ଲୀ ପାଇଁ ପଥ ପ୍ରଦର୍ଶକ ହୋଇଛନ୍ତି ‘ଗବ୍ଦର’ ଓରଫ ଶିଖର ଧବନ୍ । ତାଙ୍କ ସାଥ୍ ଦେବାକୁ ଅଛନ୍ତି ମାର୍କସ ଷ୍ଟୋଇନିସ୍, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ଋଷଭ ପନ୍ତ ପ୍ରମୁଖ । ବୋଲିଂରେ ରାବଡ଼ା ବଢ଼ିଆ ଫର୍ମରେ ଅଛନ୍ତି । ସେ ଏଥର ୨୯ଟି ଓ୍ଵିକେଟ୍ ନେଇ ସାରିଛନ୍ତି । ଯାହା ସିଙ୍ଗଲ୍ ଆଇପିଏଲ୍ରେ ଦ୍ୱିତୀୟ ସର୍ବାଧିକ । ବୁମରା ଏଯାଏ ୨୭ଟି ଓ୍ଵିକେଟ୍ ନେଇଛନ୍ତି । ଯାହା ଭାରତୀୟ ବୋଲର୍ ଭାବେ ସବୁଠାରୁ ଅଧିକ ।
ଦୁବାଇରେ ପାଗ ଭଲ ଅଛି । ତାପମାତ୍ରା ପ୍ରାୟ ୩୨ରୁ ୨୩ ଡିଗ୍ରୀ ଯାଏ ରହୁଛି । ତେବେ ରାତିରେ ଏଠି କାକର ପଡୁଛି । ଯାହା ମ୍ୟାଚ୍ର ଫଳାଫଳକୁ ପ୍ରଭାବିତ କରି ପାରେ । ଆଉ ଗୋଟିଏ କଥା ହେଉଛି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାତିରେ ପ୍ରାୟ ୨୦ କିଲୋମିଟର ବେଗରେ ପବନ ବହିବ । ଏହା ମଧ୍ୟ ଫଳାଫଳ ନିର୍ଣ୍ଣୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।
ଦିଲ୍ଲୀ ପାଇଁ ସମସ୍ୟା ହେଉଛି, ଏହି ପିଚ୍ରେ ଗତ ୪ଟି ମ୍ୟାଚ୍ ହାରି ସାରିଛି ଏବଂ ମୁମ୍ବାଇ ଠାରୁ ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛି । ତେଣୁ ନିଶ୍ଚିତ ଭାବେ ଦଳ ଉପରେ ମାନସିକ ଚାପ ରହିବ। ଦୁବାଇ ପିଚ୍ରେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ରନ୍ ପାଇବାକୁ ସଂଘର୍ଷ କରିଥିବା ବେଳେ ରାବଡ଼ା ମଧ୍ୟ ଓ୍ଵିକେଟ୍ ପାଉନଥିବା ଦେଖାଯାଇଛି । ଚଳିତ ସିଜିନ୍ରେ ଦିଲ୍ଲୀ ମୋଟ୍ ୧୨ଟି ଏବଂ ମୁମ୍ବାଇ ୧୫ଟି ମ୍ୟାଚ୍ ଜିତିଛି ।
ତଥାପି ଦିଲ୍ଲୀ ପୂରାଦମ୍ରେ ଲଢ଼େଇ କରି ମୁମ୍ବାଇକୁ ପଞ୍ଚାମ ଟାଇଟଲ୍ରୁ ରୋକିବା ଲାଗି ଚେଷ୍ଟା କରିବ ବୋଲି ଆଶା କରାଯାଉଛି । ଏବେ ଦେଖିବାକୁ ବାକି ରହିଲା ୧୩ତମ ଆଇପିଏଲ୍ରେ ନୂଆ ଚାମ୍ପିଅନ୍ ହେଉଛି ଦିଲ୍ଲୀ ନା ମୁମ୍ବାଇ ପୁଣି ଟ୍ରଫି ଜିତୁଛି ।