ଚଳିତବର୍ଷ ଆଇପିଏଲ ଫ୍ରାଞ୍ଚାଇଜ ମାଲାମାଲ୍, ଦୁଇଗୁଣା ବଢିଲା ରାଜସ୍ବ

ସମଗ୍ର ବିଶ୍ବରେ ଆଇପିଏଲର ଲୋକପ୍ରିୟତା ବଢୁଥିବା ବେଳେ ଫ୍ରାଞ୍ଚାଇଜଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି । ମାତ୍ର ଗୋଟିଏ ବର୍ଷରେ ଆଇପିଏଲର ୧୦ଟି ଫ୍ରାଞ୍ଚାଇଜର ଆୟ ୧୦ ଗୁଣା ବଢିଯାଇଛି । ୨୦୨୩ରେ ଫ୍ରାଞ୍ଚାଇଜର ମୋଟ ଆୟ ୩,୦୮୨ କୋଟି ଟଙ୍କା ରହିଥିବା ବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୬,୭୯୭ କୋଟିରେ ପହଞ୍ଚିଛି । ବିସିସିଆଇର ଡିଜନୀ ଷ୍ଟାର ଏବଂ ଭାୟକମ ୧୮ ସହିତ ୪୮,୩୯୦ କୋଟିର ଡିଲ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କୁହାଯାଉଛି ।

ନିକଟରେ ମିଳିଥିବା ରିପୋର୍ଟ ମୁତାବକ, ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୨୦୨୩ ତୁଳନାରେ ୨୦୨୪ରେ ୧୩ ପ୍ରତିଶତ ବୃଦ୍ଧି ପାଇ ୧୦,୧୬,୬୪,୫୮,୮୨,୪୦୦ ଟଙ୍କା ହୋଇଛି । ଯାହା ୨୦୦୯ରେ ୨ ବିଲିୟନ ଡଲାରର ୬ ଗୁଣ । ଆଇପିଏଲର ୪ଟି ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ ରାଇଡର୍ସର ବ୍ରାଣ୍ଡ ଭାଲ୍ୟୁ ୧୦୦ ମିଲିୟନ ଡଲାର ପାର ହୋଇଛି ।

ଗତବର୍ଷ ତୁଳନାରେ ଚଳିତବର୍ଷ ଆଇପିଏଲ ଫ୍ରାଞ୍ଚାଇଜର ଅଧିକାଂଶ ଟିମର ରାଜସ୍ବ ଦୁଇଗଣା ବଢିଛି । ଗୁଜରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ଆୟ ବଢିଛି । ପଞ୍ଜାବ କିଙ୍ଗସ ସବୁଠାରୁ ଅଧିକ ଲାଭ କମାଇଥିବା ଫ୍ରାଞ୍ଚାଇଜ ରହିଛି । ଶାହରୁଖ ଏବଂ ଜୟ ମେହତାଙ୍କ ଟିମ୍ କୋଲକତା ନାଇଟ ରାଇଡର୍ସ ୩୨୨ କୋଟିରୁ ଦୁଇଗୁଣା ଅଧିକ ରାଜସ୍ବ କମାଇ ୬୯୮ କୋଟି ଆୟ କରିଛି ।

ଚଳିତ ବର୍ଷ ଗୁଜରାଟ ଟାଇଟନ୍ସର ମୋଟ୍ ରାଜସ୍ବ ୭୭୬ କୋଟି ରହିଥିବା ବେଳେ ୫୭ କୋଟି କ୍ଷତିରେ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ୭୩୭ କୋଟିର ରାଜସ୍ବରେ ୧୦୯ କୋଟି ଟଙ୍କା ଲାଭ କରିଛି । କୋଲକତା ନାଇଟ ରାଇଡର୍ସ ୬୯୮ କୋଟି ରାଜସ୍ବ ଥିବା ବେଳେ ୧୭୫ କୋଟି ଲାଭ, ଲକ୍ଷ୍ନୌ ସୁପର ଜିଆଣ୍ଟସ ୬୯୫ କୋଟି ରହିଥିବା ବେଳେ ଚଳିତବର୍ଷ ୫୯ କୋଟି ଲାଭ କରିଛି । ଚେନ୍ନାଇ ସୁପରକିଙ୍ଗସ ୬୭୬ କୋଟି ରାଜସ୍ବ ଥିବା ବେଳେ ୨୨୯ କୋଟି ଲାଭ, ପଞ୍ଜାବ କିଙ୍ଗସ ୬୬୪ ରାଜସ୍ବ ଥିବା ବେଳେ ୨୫୨ କୋଟି ଲାଭ, ରାଜସ୍ଥାନ ରୟାଲ୍ସ ୬୬୨ କୋଟି ରାଜସ୍ବ ଥିବା ବେଳେ ୧୪୨ ଲାଭ, ସନରାଇଜର୍ସ ହାଇଦ୍ରାବାଦ ୬୫୯ କୋଟି ରାଜସ୍ବ ଥିବା ବେଳେ କିଛି ଲାଭ କି କ୍ଷତି କରିନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୫୦ କୋଟି ରାଜସ୍ବ ଥିବା ବେଳେ ୨୨୧ କୋଟି ଲାଭ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ରାଜସ୍ବ ୫୮୦ କୋଟି ଟଙ୍କା ଥିବା ବେଳେ ଚଳିତବର୍ଷ ୧୯୫ କୋଟି ଲାଭ କରିଛି ।